ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏ ବର୍ଷର ବାହୁଡା ଯାତ୍ରା ସମାପନ ହୋଇଛି । ପୁରୀ ବାହୁଡା ଯାତ୍ରା ଆଷାଢ ଶୁକ୍ଳ ଦଶମୀ ଦିନ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ବାହୁଡା ଯାତ୍ରା ଆଷାଢ ଶୁକ୍ଳ ଦ୍ଵାଦଶୀ ଦିନ ଅନୁଷ୍ଠିତ ହୋଇଥାଏ ଯେଉଁଠି ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ତେବେ କୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେବ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇପାରୁ ନ ଥିଲା । କିନ୍ତୁ ଏ ବର୍ଷ ରଥଯାତ୍ରାକୁ ଅନୁମତି ମିଳିବା ପରେ ଭକ୍ତ ମହଲରେ ଉତ୍ସାହ ବୃଦ୍ଧି ପାଇଥିଲା । ଉଭୟ ରଥଯାତ୍ରା ଓ ବାହୁଡା ଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସହସ୍ରାଧିକ ଭକ୍ତ ବାହୁଡା ଯାତ୍ରାରେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ । ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ମାଉସୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ ରହିଥିଲେ ଓ ସେଠି ସେ ଭଗବାନ ବିଷ୍ଣୁଙ୍କ ଦଶାବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆଜି ଶେଷ ଦିନରେ ତାଙ୍କୁ ପୋଡ଼ ପିଠା ଭୋଗ ଚଢା ଯାଇଥିଲା । ଦୀର୍ଘ ୯ ଦିନ ମାଉସୀ ମନ୍ଦିରରେ ରହିବା ପରେ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଥମେ ମହାପ୍ରଭୁଙ୍କ ଭୋଗରାଗ ଓ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ଛେରା ପହରା କରାଯିବା ପରେ ପ୍ରଭୁଙ୍କୁ ରଥ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ନିଆଯାଇଥିଲା ଓ ପ୍ରଭୁଙ୍କୁ ରଥରେ ବିରାଜମାନ କରାଯାଇଥିଲା । ରଥ ଟଣା ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ରଥ ଟାଣି ପ୍ରଭୁଙ୍କ କୃପା ଲାଭ କରିଥିଲେ । ରଥରେ ବିରାଜମାନ କରିବା ପରେ ରଥ ଟଣାଯାଇ ପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମନ୍ଦିରରୁ ନିଜସ୍ୱ ମନ୍ଦିରକୁ ନିଆଯାଇଥିଲା । ପ୍ରଭୁଙ୍କୁ ମାଉସୀ ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ନେବା ସମୟରେ ଶୋଭାଯାତ୍ରାରେ ରାମଚନ୍ଦ୍ରପୁର ଗାଁ ଦାଣ୍ଡ ସଂକୀର୍ତ୍ତନର ପ୍ରତିଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ଭକ୍ତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା । ବାହୁଡା ଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ବାହୁଡା ଯାତ୍ରାରେ ପୂଜକ ଭାବରେ ଗୋପାଳ ନନ୍ଦ ଓ କର୍ତ୍ତା ଭାବରେ ସନ୍ତୋଷ ପଟେଲ କାର୍ଯ୍ୟ ନିର୍ବାହ କରିଥିଲେ । ଏହା ବ୍ୟତୀତ ଜୀବନାନନ୍ଦ ବାଗ, ନନ୍ଦରାଜ ନନ୍ଦ, ଚିନ୍ତାମଣି ନନ୍ଦ, ଭାସ୍କର ବାଗ, ଗୋପୀ ପଟେଲ, ବଂଶୀ ବାଗ, ପଞ୍ଚାନନ ଷାଣ୍ଢ, ରତନ ବାଗ, ହରିଶ୍ଚନ୍ଦ୍ର ପଟେଲ ଓ ଜୟପ୍ରକାଶ ପଟେଲ ପ୍ରମୁଖ ବିଭିନ୍ନ ରୀତି ନୀତିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.