pakka

ପବିତ୍ର ମହାଶିବରାତ୍ରିର ତତ୍ତ୍ୱ କଥା

kalikesh

ଆଜି ପବିତ୍ର ମହାଶିବରାତ୍ରି ଦେବ ଦେବ ମହାଦେବଙ୍କ ବିଶେଷ ପୂଜନ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ମହାଦେବଙ୍କ ଆରାଧନା କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ମଧ୍ୟରୁ ଶିବରାତ୍ରି ବ୍ରତ ହେଉଛି ସର୍ବଶ୍ରେଷ୍ଠ, ସର୍ବକାମପ୍ରଦ ଏବଂ ଅତ୍ୟନ୍ତ ସିଦ୍ଧିଦାୟକ । ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।

ପୌରାଣିକ ଭିତ୍ତିଭୂମି :
ଦେବ ଦେବ ମହାଦେବଙ୍କ ଦ୍ୱାରା ଏହି ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟ ଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ମହାଦେବ ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଶିବରାତ୍ରିର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ, ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମ ଉପଦେଶ ଦେବା ସମୟରେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କରି କହିଲେ ଯେ, ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକଙ୍କୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।

ମହାଶିବରାତ୍ରି ପାଳିତ ହେଉଥିବା ଅଞ୍ଚଳ
ସମଗ୍ର ଓଡ଼ିଶାର ଶୈବପୀଠ ମଧ୍ୟରେ ବିଶେଷ କରି ଆରଡ଼ି, କପିଳାସ, ଗୁପ୍ତେଶ୍ୱର, ବେଦବ୍ୟାସ, ଭୁବନେଶ୍ୱର, ମହେନ୍ଦ୍ରଗିରି, ହରିଶଙ୍କର, ହୁମାରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏହା ପାଳନ କରିଥାନ୍ତି । ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ମହାଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବା ବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହୋଇଥାଏ ।

ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରି ପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା କରି ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି, ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ‘ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ ।

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀ ଫୁଲ ଚଢ଼ାଯିବାର ବିଧି ରହିଛି ।

ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବା ପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏହି ପର୍ବ ଶିକ୍ଷା ଦିଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି ।

pp
Leave A Reply

Your email address will not be published.

five + eighteen =