pakka

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ : ଆଜି ଶୈଳପୁତ୍ରୀ ବେଶରେ ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି । ଆଜି ଶୈଳପୁତ୍ରୀ ବେଶରେ ମା’ ଉଭା ହୋଇଛନ୍ତି ।

ବନ୍ଦେ ବାଞ୍ଛିତଲାଭାୟା ଚନ୍ଦ୍ରାର୍ଦ୍ଧକୃତଶେଖରାମ୍‌ ।
ବୃଷାରୁଢ଼ାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ୱିନୀମ୍‌ । ।

ମାତା ଦୁର୍ଗା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳପୁତ୍ରୀ । ପର୍ବତକୁ ଶୈଳ କହନ୍ତି, ପର୍ବତରାଜ ହିମାଳୟଙ୍କର କନ୍ୟା ରୂପେ ଜନ୍ମିଥିଲେ ବୋଲି ତାଙ୍କ ନାମ ଶୈଳପୁତ୍ରୀ ହୋଇଥିଲା । ନବଦୁର୍ଗାଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରଥମ ଦୁର୍ଗା । ସେ ବୃଷଭବାହିନୀ, ତାଙ୍କର ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମ ଶୋଭାପାଏ ।

ମାତା ପୂର୍ବଜନ୍ମରେ ପ୍ରଜାପତି ଦକ୍ଷଙ୍କର ଝିଅ ହୋଇ ଜନ୍ମ ନେଇଥିଲେ । ସେତେବେଳେ ପ୍ରଜାପତି ଦକ୍ଷ ଗୋଟିଏ ବଡ଼ ଯଜ୍ଞ ଆୟୋଜନ କଲେ । ନିଜ ନିଜର ଯଜ୍ଞଭାଗ ନିଅନ୍ତୁ ବୋଲି ସେ ଯଜ୍ଞକୁ ସବୁ ଦେବତାଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ଶଙ୍କରଙ୍କୁ ଡାକିଲେ ନାହିଁ । ତଥାପି ବାପା ଏତେ ବଡ଼ ଯଜ୍ଞ କରୁଛନ୍ତି ଶୁଣି ଘରକୁ ଯାଇ ଯଜ୍ଞ ଦେଖି ଆସିବାକୁ ସତୀଙ୍କର ମନ ବିକଳ ହେଲା । ସେ ଶଙ୍କରଙ୍କୁ ନିଜ ମନକଥା କହିଲେ । ସବୁ କଥା ବିଚାର କରି ଶଙ୍କର କହିଲେ, ‘ତୁମ ବାପା କୌଣସି କାରଣରୁ ଆମ ଉପରେ ରାଗିଛନ୍ତି, ଖବର ଟିକିଏ ବି ପଠାଇ ନାହାନ୍ତି । ଏପରି ପରିସ୍ଥିତିରେ ସେଠାକୁ ଯିବା ତୁମ ପକ୍ଷରେ ଆଦୌ ଉଚିତ ହେବନାହିଁ ।’ ଏସବୁ ଉପଦେଶରେ ସତୀଙ୍କ ମନ ବୁଝିଲା ନାହିଁ । ବାପାଙ୍କ ଯଜ୍ଞ ଦେଖିବାକୁ ଯାଇ ଘରେ ମାଆ ଓ ଭଉଣୀମାନଙ୍କ ସହିତ ଦେଖା କରି ଆସିବାକୁ ତାଙ୍କ ମନ ଆକୁଳ ହେଉଥିଲା, ତାହା ଟିକିଏ ବି କମିଲା ନାହିଁ । ତାଙ୍କର ସେହି ଆଗ୍ରହ ଦେଖି ଭଗବାନ ଶଙ୍କର ତାଙ୍କୁ ବାପ ଘରକୁ ଯିବାକୁ ଅନୁମତି ଦେଇଦେଲେ ।

ସତୀ ବାପଘରକୁ ଯାଇ ଦେଖିଲେ ଯେ, ତାଙ୍କୁ ଆଦର କରିବା ତ’ ଦୂରର କଥା, କେହି କଥା ପଦେ ବି କହିଲେ ନାହିଁ, କି ମୁହଁ ଟେକି ଚାହିଁଲେ ନାହିଁ । ଖାଲି ମାଆ ଯାହା ଟିକିଏ ଜାବୋଡ଼ି ଧରିଲେ, ଭଉଣୀମାନେ ତ ନାକ ଟେକି ମୁହଁ ମୋଡ଼ି ଦେଇ ବ୍ୟଙ୍ଗ ଉପହାସ କରି ବସିଲେ । ଆପଣା ଲୋକଙ୍କର ଏ ବ୍ୟବହାର ଦେଖି ସତୀଙ୍କୁ ବଡ଼ ଦୁଃଖ ଲାଗିଲା । ଏ ଭିତରେ ତାଙ୍କ ବାପା ଦକ୍ଷ ମଧ୍ୟ ତାଙ୍କୁ ଦି’ପଦ ଅପମାନଜନକ କଥା କହିଦେଲେ । ସତୀଙ୍କ ହୃଦୟ କ୍ଷୋଭ, ଗ୍ଲାନି ଓ କ୍ରୋଧରେ ସନ୍ତପ୍ତ ହୋଇଗଲେ । ସେ ଭାବିଲେ, ସ୍ୱାମୀଙ୍କ କଥା ନମାନି, ସେଠାକୁ ଆସି ସେ ବଡ଼ ଭୁଲ କରିଛନ୍ତି । ଏ ଯେଉଁ ଅପମାନ, ଏହା ଖାଲି ତାଙ୍କର ନୁହେଁ, ଏହା ଶଙ୍କରଙ୍କର ମଧ୍ୟ ଅପମାନ ।

ନିଜ ପତି ଭଗବାନ ଶଙ୍କରଙ୍କର ଏହି ଅପମାନ ସହି ନ ପାରି ସେ ସେହିକ୍ଷଣି ଯଜ୍ଞକୁଣ୍ଡକୁ ଡେଇଁ ପଡ଼ିଲେ ଓ ନିଜ ରୂପକୁ ଯଜ୍ଞନିଆଁରେ ପୋଡ଼ି ପାଉଁଶ କରିଦେଲେ । ବଜ୍ରପାତ ସମାନ ସେହି ଦାରୁଣ ଘଟଣା ଶୁଣି ଶଙ୍କର ନିଜର ଗଣମାନଙ୍କୁ ପଠାଇ ଦକ୍ଷଯଜ୍ଞକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଲେ ।

ଯୋଗାଗ୍ନିରେ ଶରୀର ଭସ୍ମ କରିଦେଇ ପରବର୍ତ୍ତୀ ଜନ୍ମରେ ସତୀ ଶୈଳରାଜ ହିମାଳୟଙ୍କର ପୁତ୍ରୀରୂପେ ଜନ୍ମ ହେଲେ । ଏଥର ସେ ଶୈଳପୁତ୍ରୀ ନାମରେ ବିଖ୍ୟାତ ହେଲେ । ତାଙ୍କୁ ପାର୍ବତୀ ଓ ହୈମବତୀ ବୋଲି ମଧ୍ୟ ଡକାଗଲା । ଉପନିଷଦର ଗୋଟିଏ କଥା ଅନୁସାରେ ସେ ହୈମବତୀ ସ୍ୱରୂପରେ ଦେବତାମାନଙ୍କର ଗର୍ବ ଭଂଜନ କରିଥିଲେ ।

ଶୈଳପୁତ୍ରୀ ଦେବୀଙ୍କର ବିବାହ ମଧ୍ୟ ଶଙ୍କରଙ୍କ ସହିତ ହୋଇଗଲା । ପୂର୍ବଜନ୍ମ ପରି ଏ ଜନ୍ମରେ ମଧ୍ୟ ସେ ଶିବଙ୍କର ଅର୍ଦ୍ଧାଙ୍ଗିନୀ ହେଲେ । ନବଦୁର୍ଗାଙ୍କ ମଧ୍ୟରେ ପ୍ରଥମ ଏହି ଶୈଳପୁତ୍ରୀ ଦୁର୍ଗାଙ୍କର ଶକ୍ତି ଓ ମହତ୍ତ୍ୱ ଅନନ୍ତ । ନବରାତ୍ର ପୂଜାରେ ପ୍ରଥମ ଦିନ ଏହାଙ୍କର ପୂଜା-ଉପାସନା କରାଯାଏ । ଏହି ପ୍ରଥମ ଦିବସ ଉପାସନାରେ ଯୋଗୀ ନିଜ ମନକୁ ‘ମୂଳାଧାର’ ଚକ୍ରରେ ରଖନ୍ତି, ଏହିଠାରୁ ତାଙ୍କର ଯୋଗସାଧନା ଆରମ୍ଭ ହୁଏ ।

Leave A Reply

Your email address will not be published.

five × 5 =