pakka

ମହିମା ଧର୍ମରେ ମାନବୀୟ ଚେତନାବୋଧ

bbehera
  • ପୂର୍ଣ୍ଣଚନ୍ଦ୍ର ପଣ୍ଡା

ମହିମା ଧର୍ମ ହେଉଛି ବିଶ୍ୱର ସର୍ବ କନିଷ୍ଠ ଧର୍ମ । ଓଡିଶା ମାଟିର ଏହା ହେଉଛି ନିଜସ୍ୱ ଧର୍ମ । ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହିମା ଗୋସାଇଁ ରୂପରେ ଆବିର୍ଭାବ ହୋଇଥିବା ସିଦ୍ଧସାଧୁ ଏହି ଧର୍ମକୁ ଅଷ୍ଟାଦଶ ଶତାବ୍ଦୀରେ ସ୍ଥାପନା କରିଥିଲେ । ପୁରୀରୁ ସମଗ୍ର ଓଡିଶା ପରିଭ୍ରମଣ କରି ଶେଷରେ ଢେଙ୍କାନାଳ ଜିଲ୍ଲାର କୈଳାସ ପର୍ବତରେ ତପସ୍ୟା କରି ସିଦ୍ଧିତ୍ୱପ୍ରାପ୍ତ ହୋଇଥିଲେ । ସେଇଠୁ ଯୋରନ୍ଦାକୁ ଆସି ଆଶ୍ରମ ଆରମ୍ଭ କରି ଏକ ମାନବୀୟ ଚେତନାଦିପ୍ତ ଧର୍ମର ସ୍ଥାପନା କରିଥିଲେ । ସେଥିପାଇଁ ମୁଖ୍ୟତଃ ସମାଜର ତଳସ୍ତରରେ ଅବହେଳିତ ହୋଇ ରହିଥିବା ସମାଜର ଲୋକଙ୍କ ମାନବୀୟ ଅଧିକାର କଥା ମହିମା ଧର୍ମ କହିଥାଏ । ବିଶ୍ୱରେ ଅନେକ ଧର୍ମ ରହିଛି ଓ ଏହାର ଲକ୍ଷାଧିକ ଅନୁଗାମୀ ମଧ୍ୟ ରହିଛନ୍ତି । କିନ୍ତୁ ମହିମାଧର୍ମ ସବୁଠୁ କନିଷ୍ଠ ଧର୍ମ ଓ କମ୍‌ ଅନୁଗାମୀ ରହିଥିଲେ ହେଁ ଏହା ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେଇଆସିଛି । ମହିମାଧର୍ମକୁ ମହିମା ଗୋସାଇଁ ସ୍ଥାପନା କରିଥିଲେ ହେଁ ତାଙ୍କ ନିର୍ଦ୍ଦେଶରେ ଏହାର ପ୍ରଚାର ପ୍ରସାର କରିଥିଲେ ମହିମା ଧର୍ମର ଶ୍ରେଷ୍ଠ ପ୍ରଚାରକ ସନ୍ଥକବି ଭୀମଭୋଇ । ଗୁରୁ ଆଶୀର୍ବାଦରେ ଦିବ୍ୟଚେତନା ପାଇ ମହିମାଧର୍ମକୁ ପ୍ରଚାର କରି କରି ଭୀମଭୋଇ ଶେଷରେ ସୋନପୁର ଗଡଜାତର ଅଖ୍ୟାତ ପଲ୍ଲୀ ଖଲିଆପାଲିରେ ଆଶ୍ରମ ପ୍ରତିଷ୍ଠା କରି ସେଇଠି ସାଧାନା କରି ସିଦ୍ଧିତ୍ୱ ଲାଭ କରିଥିଲେ । ସିଦ୍ଧିତ୍ୱ ଲାଭ ପରେ ସେ ବିଭିନ୍ନ ଭଜନ, ଅବେଗଭରା ଜଣାଣ, ଚଉତିଶା ଇତ୍ୟାଦି ରଚନା କରି ଗୀତ ଆକାରରେ ବୋଲି ଥିଲେ । ଧର୍ମର ମୂଳତତ୍ୱକୁ ସାଧାରଣ ସରଳ ଭାଷାରେ ଲୋକଙ୍କୁ ବୁଝାଇଦେଇ ସମସ୍ତଙ୍କ ହୃଦୟରେ ସ୍ଥାନ ନେଇଥିଲେ । ସେ ଖଳିଆପାଲିରୁ ବିଶ୍ୱର ମଣିଷ ଓ ଜୀବଜଗତର କଲ୍ୟାଣ ପାଇଁ ମହିମା ଅଲେଖଙ୍କୁ ଡାକ ଦେଉଥିଲେ । ମଣିଷ ମଣିଷ ମଧ୍ୟରେ ଥିବା ଭେଦଭାବକୁ ସେ ତୀବ୍ର ବିରୋଧ କରୁଥିଲେ । ଏପରିକି ମଣିଷ ବ୍ୟତୀତ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କର ବେଦନାକୁ ଅନୁଭବ କରିପାରୁଥିଲେ ସେଥିପାଇଁ ଅନ୍ୟର କଷ୍ଟକୁ ସହ୍ୟ କରିପାରିନଥିଲେ । ସମସ୍ତଙ୍କ ଭିତରେ ଭଗବାନଙ୍କ ସତ୍ତାକୁ ସେ ଅନ୍ୱେଷଣ କରିଥିଲେ । ଏଇ ମାଟିରୁ ସେ ଉଦ୍‌ଘୋଷଣା କରିଥିଲେ ତାଙ୍କର ମହାନବାଣୀ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ ; ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ । ଏହି ପଂକ୍ତିଟି ସାରା ବିଶ୍ୱର ସାଧୁ ସନ୍ଥଙ୍କୁ ଉଦବେଳିତ କରିଦେଇଥିଲା । ସନ୍ଥ ଭୀମଭୋଇ ଖଲିଆପାଲି ଭଳି ଏକ ଅଖ୍ୟାତ ପଲ୍ଲୀରେ ରହି ସମଗ୍ର ବିଶ୍ୱର ଦୁଃଖ ଯନ୍ତ୍ରଣାକୁ ମର୍ମେ ମର୍ମେ ଅନୁଭବ କରିପାରୁଥିଲେ । ସେ ଜଣେ ଧର୍ମ ପ୍ରଚାରକ ହୋଇଥିଲେ ହେଁ ବିଶ୍ୱର କଲ୍ୟାଣ ପାଇଁ ଯଦି ଧର୍ମ ନିନ୍ଦା ହୁଏ ତା’ହେଲେ ତାହା ମଧ୍ୟ ଗ୍ରହଣୀୟ ବୋଲି କହିଥିଲେ । ସେ କହିଥିଲେ ‘ଧର୍ମ ପଛେ ନିନ୍ଦା ହେଉ, ଧରଣୀମଣ୍ଡଳ ରହୁ ; ଶୂନ୍ୟ ଧରତୀ ଆକାଶ, ଆକାଶ ଭାସି ନଯାଉ’ ।

ସନ୍ଥ କବି ଭୀମ ଭୋଇ ଥିଲେ ଜଣେ ମାନବବାଦୀ କବି । ସତ୍ୟର ପ୍ରଚାର ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ପରାଧିନତା ସମୟରେ ଭାରତ ବର୍ଷର ଏକ ଗଡଜାତ ଅଞ୍ଚଳରେ ରହି ସେ ସ୍ୱର ଉତ୍ତୋଳନ କରିଥିଲେ ସ୍ୱେଚ୍ଛାଚାର ରାଜତନ୍ତ୍ର ବିରୁଦ୍ଧରେ । ଏକ ଶକ୍ତ ସ୍ୱର ହିଁଁ ତାଙ୍କୁ ମହାନ କରି ଗଢି ତୋଳିଥିଲା । ଭୀମ ଭୋଇଙ୍କ ଦ୍ୱାରା ପ୍ରଚାରିତ ମହିମା ଧର୍ମ ଏବଂ ତାଙ୍କର ମାନବବାଦୀ ଚିନ୍ତାଧାରା, ବିଚାର ଓ ଆଦର୍ଶ ଆଜି ତାଙ୍କୁ ବିଶ୍ୱବନ୍ଦିତ କରିଛି । ସେ କେବଳ ଆଜି ସୁବର୍ଣ୍ଣପୁର ଜିଲ୍ଲାର କିମ୍ବା ଓଡିଶାର ନୁହଁ ସମଗ୍ର ବିଶ୍ୱର ସନ୍ଥକବି ହୋଇସାରିଛନ୍ତି । ସମଗ୍ର ବିଶ୍ୱ ଆଜି ଧର୍ମ ନାମରେ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଥିବା ବେଳେ ତାଙ୍କର ମହାନବାଣୀର ଆଜି ଖୁବ ପ୍ରାସଙ୍ଗିକତା ମନେ ହୁଏ । ମଣିଷ ଭିତରେ ଆସ୍ତେ ଆସ୍ତେ ମାନବିକତା ହ୍ରାସ ହୋଇ ହିଂସା ଆଚରଣ ବଢିଚାଲିଛି । ତାର ଅହଂ ଭାବ ହିଁ ତାକୁ ଅମଣିଷରେ ପରିଣତ କରି ଦେଲାଣି । ମଣିଷ ସମାଜ ମଧ୍ୟରେ ବସବାସ କରି ମନର ଶାନ୍ତି ପାଇଁ ଏକ ଧର୍ମର ଆଶ୍ରୟ ନେଇଥାଏ । ଏହି ଧର୍ମର ଆଚରଣରେ ତା’ ମଧ୍ୟରେ ନୂତନ ଶକ୍ତି ଜାଗ୍ରତ କରିଥାଏ । ସେହି ଶକ୍ତି ବଳରେ ହିଁ ସେ ମହାନ ହୋଇପାରିଥାଏ । କିନ୍ତୁ ଆଜି ଧର୍ମ ନାମରେ ଧରୀତ୍ରୀକୁ ଧର୍ଷଣ କରୁଥିବା ଧର୍ମ ପ୍ରଚାରକଙ୍କ ସଂଖ୍ୟା ବଢି ଗଲାଣି । ଧର୍ମ ଧର୍ମ ମଧ୍ୟରେ ବିଭେଦ ସୃଷ୍ଟି କରି ଗୋଳିଆ ପାଣିରୁ କଙ୍କଡା ଫାଇଦା ନେଲା ଭଳିଆ ସେମାନେ ତାଙ୍କର ପତିଆରା ବଢାଇ ଚାଲିଛନ୍ତି । ଧର୍ମ ଧର୍ମ ମଧ୍ୟରେ ଅସହିଷ୍ଣୁତା ବଢିଚାଲିଛି । ଧର୍ମିୟ ଆତଙ୍କବାଦ କବଳରେ ବିଶ୍ୱ ରହିଛି । ନିଜ ନିଜ ଧର୍ମର ପତିଆରା ବଢାଇବା ପାଇଁ ସେମାନେ ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛନ୍ତି । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେତେବେଳେ ସେମାନଙ୍କୁ ରାସ୍ତାରୁ ହଟାଇ ଦିଆଯାଉଛି । ଆଇଏସ ଆଇଏସ ଓ ସନାତନୀ ଭଳି ଧର୍ମିୟ ଆତଙ୍କବାଦୀ ସଂସ୍ଥାଗୁଡିକ ଖୁବସକ୍ରୀୟ ରହିଛନ୍ତି । ବିଭିନ୍ନ ସ୍ଥାନରେ ବୋମା ବିଷ୍ପୋରଣ କରି ଧନଜୀବନ ନଷ୍ଟ କରୁଛନ୍ତି । ପ୍ରାୟ ଧର୍ମରେ ମୌଳବାଦୀଙ୍କ ପ୍ରଭାବ ଦେଖାଦେଇଛି । ପ୍ରତ୍ୟେକ ଧର୍ମର ମୂଳମନ୍ତ୍ର ହେଲା ଧରଣୀକୁ ଶାନ୍ତି ଦେବା । କୌଣସି ଅଶାନ୍ତିରେ ଧମର୍ର ଅସ୍ତିତ୍ୱ ନ ଥାଏ । ନିଜର ଧର୍ମକୁ ଶ୍ରେଷ୍ଠ କହିବା କିଛି ମନ୍ଦ ନୁହେଁ କିନ୍ତୁ ଅନ୍ୟର ଧର୍ମକୁ ନିନ୍ଦା କରିବାକୁ ଭୀମ ଭୋଇ ନାପସନ୍ଦ କରିଛନ୍ତି । ସେହି ମର୍ମରେ ଭୀମ ଭୋଇ କହିଥିଲେ “ଧର୍ମ ପଛେ ନିନ୍ଦା ହେଉ.. ଧରଣୀ ମଣ୍ଡଳ ରହୁ, ଶୂନ୍ୟ ଧରତୀ ଆକାଶ.. ଆକାଶ ଭାସୀ ନ ଯାଉ” । ଧର୍ମ ନାମରେ ଧରିତ୍ରୀକୁ ଯଦି ଧ୍ୱଂଶ କରିଦେବ ତା’ହେଲେ ଧର୍ମ କେଉଁଠି ତୁମେ ପ୍ରଚାର କରିବ ବୋଲି ସେ ବିଶ୍ୱବାସୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ‘ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ’ । ନିଜେ ବଞ୍ଚ ଓ ଅନ୍ୟମାନଙ୍କୁ ବଞ୍ଚିବାକୁ ଦିଅ ଏହା ହିଁ ଧର୍ମ । କିନ୍ତୁ ଆଜି ଧର୍ମ ପ୍ରଚାର ନାମରେ ଧର୍ମ ପିପାସୁମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଜି ସମଗ୍ର ବିଶ୍ୱରେ କ୍ଷୁଧାର ତାଣ୍ଡବ ଲୀଳା ଚାଲିଛି । ଧର୍ମୀୟ ବାବାମାନେ ଆଜି କୋଟି କୋଟି ଟଙ୍କାର ମାଲିକ ସାଜି ସେମାନେ ସମାଜ ସଂସ୍କାର ପାଇଁ ଚେଷ୍ଟା ବଦଳରେ ଅହଂ ଓ ଅପକର୍ମରେ ଲିପ୍ତ ରହୁଛନ୍ତି । କ୍ଷୁଧାର୍ଥ ପୃଥିବୀ, ପ୍ରଦୂଷିତ ଆକାଶ ମଣିଷକୁ ଧିକ୍କାର କରି କହୁଛି ମୁଁ ହିଁ ତୋର ସବୁ କିଛି, କିନ୍ତୁ ତୁ ହିଁ ମୋତେ ଉପେକ୍ଷା କରୁଛୁ । ଶୂନ୍ୟରୁ ସବୁ କିଛିର ସୃଷ୍ଟି, ଦିନେ ନା ଦିନେ ଶୂନ୍ୟରେ ହିଁ ବିଲୀନ ହେବ । ତଥାପି ଏ ଅହଂ କାହିଁକି? ଯୋଗଜନ୍ମା ଭୀମଭୋଇ ତାଙ୍କ ଗୁରୁଙ୍କ ପ୍ରଦର୍ଶିର୍ର୍ତ ରାସ୍ତାର ଅନୁସରଣ କରି ଗାଇ ଯାଇଛନ୍ତି ଲକ୍ଷ ଲକ୍ଷ ଶବ୍ଦାବଳୀ । ମହିମା ଧର୍ମର ପ୍ରବକ୍ତା ମହିମା ଗୋସ୍ୱାମୀ ଥିଲେ ସନ୍ଥକବି ଭୀମ ଭୋଇଙ୍କ ଗୁରୁ । ସେହି ଗୁରୁଙ୍କ ସଂଷ୍ପର୍ଶରେ ତଥା ଆଶୀର୍ବାଦରେ ଭୀମଭୋଇ ମହାନ ହୋଇଥିଲେ । ଗୁରୁ ହିଁ ତାଙ୍କର ସର୍ବସ୍ୱ ଥିଲେ । ସତେ ଯେପରି ଗୁରୁଙ୍କ ବିନା ନିର୍ଦ୍ଦେଶରେ ପତ୍ର ମଧ୍ୟ ହଲେ ନାହିଁ । ସେଇ ହିସାବରେ ଭୀମଭୋଇ ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ସମସ୍ତଙ୍କୁ ଭଲ ପାଇବାକୁ କହିଛନ୍ତି । ମହିମାଧର୍ମ ଓଡିଶା ସମେତ ଅଧୁନା ଛତିଶଗଡ, ମଧ୍ୟ ପ୍ରଦେଶ, ଆସାମ, ବିହାର, ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ମୁଖ୍ୟତଃ ଯେଉଁମାନେ ସମାଜରେ ଦଳିତ, ନିଷ୍ପେସିତ ବର୍ଗର ଥିଲେ ସେମାନେ ଏହି ଧର୍ମକୁ ସାଦରେ ଗ୍ରହଣ କରିନେଲେ । ସମାଜରେ ଜାତିଭେଦ ଶୀର୍ଷକୁ ପହଞ୍ôଚ ସାରିଥିବା ବେଳେ ତା ବିରୁଦ୍ଧରେ ଭୀମଭୋଇ ଏକ ଦୃଢ ସ୍ୱର ଉତ୍ତୋଳନ କରିଥିଲେ । ଗଡଜାତ ରାଜାମାନେ ଉଚ୍ଚ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଦଳିତ ମାନଙ୍କୁ ଘୃଣା କରୁଥିଲେ । ପୃଥିବୀ ରାଜାଙ୍କର ନୁହେଁ ବରଂ ତାଙ୍କ ପରମ ପିତାଙ୍କର ସର୍ଜନା ବୋଲି କହିଥିଲେ । ତେଣୁ ରାଜାଙ୍କର ଯେତେ ଅଧିକାର ଅଛି ଆମର ମଧ୍ୟ ସେତେ ଅଧିକାର ରହିଛି ବୋଲି ଦୃଢ କଣ୍ଠରେ କହିଥିଲେ । ରାଜାଙ୍କ ମନୋଭାବ ବିରୁଦ୍ଧରେ କବି ଗାଇ ଉଠିଥିଲେ “ରାଜାର ପରଜା ନୋହୁଁ ସିନା ଆମ୍ଭେ, ନୋହୁଁ ସାହୁର ଖାତକ, ଯହିଁ ଗୁରୁ ନେବେ, ତହିଁ ଆମ୍ଭେ ଯାଉ କେ ଅବା କରୁ ଅଟକ” । ସମଗ୍ର ଧରଣୀ ମଣ୍ଡଳ ତାଙ୍କ ପରମ ଗୁରୁଦେବଙ୍କ ସୃଷ୍ଟି ଏବଂ ସେହି ଧରଣୀରେ କାହାକୁ ରହିବାକୁ କେହି ବାରଣ କରିପାରିବେ ନାହିଁ ବୋଲି ଦୃଢ ସ୍ୱରରେ କହିଥିଲେ । ସେ ଥିଲେ ଜଣେ ସ୍ୱାଧୀନଚେତା ମାନବବାଦୀ କବି ।

ଗୁରୁ ପୂଜାର ପରଂମ୍ପରା ପାଇଁ ପ୍ରତିବର୍ଷ ସନ୍ଥଭୀମ ଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲିଠାରେ ମାଘ ମାସ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ମାଘ ମେଳା ଅନୁଷ୍ଠିତ ହୋଇଆସୁଛି । ଭୀମ ଭୋଇଙ୍କ ଜୀବିତାବସ୍ଥାରୁ ଏହା ପାଳିତ ହୋଇ ଆସୁଛି । ତାଙ୍କ ଭକ୍ତମାନେ ସେତେବେଳେ ଭୀମଭୋଇ ଓ ତାଙ୍କ ଆଧ୍ୟାତ୍ମିକ ସଂଗିନୀ ମା’ ଅନ୍ନପୂର୍ଣ୍ଣାଙ୍କୁ ବେଦିକାରେ ବସାଇ ଏକଶହ ଆଠ ଜଳପୂର୍ଣ୍ଣ କୁମ୍ଭ ରଖି ତାଙ୍କର ପାଦପୂଜା କରୁଥିଲେ । ସେହିଦିନରୁ ମାଘମେଳା ପାଳିତ ହୋଇଆସୁଛି । ଖଲିଆପାଲିଠାରେ ଭୀମଭୋଇଙ୍କ ଦେହାବସାନ ପରେ ତାଙ୍କ ଭକ୍ତଙ୍କ ଦ୍ୱାରା ନିର୍ମିତ ହୋଇଛି ଏକ ସମାଧି ମନ୍ଦିର । ବହୁ ବର୍ଷ ଉପେକ୍ଷିତ ହୋଇ ପଡିବା ପରେ ୧୯୯୯ ମସିହାରୁ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ଗଠିତ ହୋଇ ପୁନଃରୁଦ୍ଧାର କରାଯାଇଛି ପୀଠଟିକୁ । ପ୍ରତି ବର୍ଷ ମାଘମେଳା ଅବସରରେ ଧାଇଁ ଆସୁଛନ୍ତି ବହୁ ମହିମାଭକ୍ତ ତଥା ଗବେଷକ । ଏକ ଜାତିହୀନ ଓ ବର୍ଣ୍ଣହୀନ ସମାଜ ଏବଂ ସତ୍ୟ ଧର୍ମର ପ୍ରଚାର ହିଁ ମହିମା ଧର୍ମର ମୂଳମନ୍ତ୍ର । ମାଘ ମେଳାରେ ଏହାର ନିଦର୍ଶନ ଦେଖିବାକୁ ମିଳିଥାଏ । ଗୁରୁ ପୂଜନ କରି ବହୁ ଭକ୍ତ ଆତ୍ମତୃପ୍ତି ଲାଭ କରିଥାନ୍ତି । ପ୍ରତିବର୍ଷ ଏକ ସାରସ୍ୱତ ମେଳାର ଆୟୋଜନ ପାଇଁ ସମସ୍ତେ ଏକ ମନ ଏକ ପ୍ରାଣ ହୋଇଥାନ୍ତି । ଏହାହିଁ ତ ମାନବ ଧର୍ମ । ପବିତ୍ର ମାଘମେଳା ସମଗ୍ର ବିଶ୍ୱକୁ ବିଶ୍ୱ ଏକତ୍ରିକରଣ ଓ ମାନବୀୟ ଚେତନାର ବାର୍ତ୍ତା ଦେଉ । ଧର୍ମ ଧରିତ୍ରୀକୁ ଧରି ରଖୁ ଏହା ହିଁ ଆଜିର ଏହି ପବିତ୍ର ଦିବସରେ କାମନା ।

ରାଜପାଲି, ମେଣ୍ଡା, ସୁବର୍ଣ୍ଣପୁର
ମୋ-୯୪୩୭୨୪୧୧୭୬

jay balangir
Leave A Reply

Your email address will not be published.

six + five =