pakka

ହଜି ଯାଉଛି ହସ

✍ ମୀନକେତନ ବାରଲେବଡ଼ିଆ

ଆଜିକାଲି ମନଖୋଲା ହସଟିକେ ବି ହସି ହଉନି । କଥାଟା କେବଳ ମୋ ପାଇଁ ପ୍ରଯୁଜ୍ୟ ବୋଲି ଭାବନ୍ତୁ ନାହିଁ, ଆପଣ ମଧ୍ୟ ଏକଥାକୁ ଅନୁଭବ କରିପାରୁଥିବେ ।

ହସ ମଣିଷର ମନ ଓ ଶରୀରକୁ ସତେଜ କରି ରଖେ । ମାନସିକ ସ୍ବାସ୍ଥ୍ୟ ପାଇଁ ମହୌଷଧି ଭଳି କାମ କରେ । ମଣିଷ ବେଳେବେଳେ କୃତ୍ରିମ ହସ ହସିବା ପାଇଁ ଚେଷ୍ଟାକରେ ସିନା ହୃଦୟ ଭିତରୁ ନିରୁତା ହସଟିଏ ହସିପାରେ ନାହିଁ ।

ଅତ୍ୟାଧୁନିକ ମଣିଷର ଜୀବନ ଶୈଳୀ ଯନ୍ତ୍ରଚାଳିତ ଅଟେ । ନୈରାଶ୍ୟର କଳାବାଦଳ ସର୍ବଦା ଆଚ୍ଛାଦିତ କରିଥାଏ ମଣିଷ ମନକୁ । ଏଣୁ ଉପଭୋକ୍ତାବାଦୀ ମଣିଷର ଜୀବନ ସର୍ବଦା ଦୁଃଖ ଜର୍ଜରିତ ହୋଇଥାଏ । ତା’ଠି ନିରୁତା ହସ ଦୁଷ୍ପ୍ରାପ୍ୟ ଅଟେ ।

ମଣିଷ ଆଉ କେଉଁ କାରଣରୁ ହସି ପାରେନାହିଁ, କିଛିଟା ତର୍ଜମା କରିବା । ପିଲାଟି କଥା କହିବା ଆରମ୍ଭ କଲା କ୍ଷଣି ବାପାମାଆ ଅନୁଶାସନ ଆରମ୍ଭ କରିଦିଅନ୍ତି । କାଳେ ବଡ଼ ହେଲେ ପିଲା କଥା ମାନିବ ନାହିଁ ଏଣୁ ତାକୁ ଭୟ ଦେଖାଇବା ଆରମ୍ଭ କରିଦିଅନ୍ତି । ପିଲାଟି ବାପାମାଆଙ୍କ ସାମ୍ନାରେ ହସିପାରେ ନାହିଁ । ବାପାମାଆ ମଧ୍ୟ ପିଲାଙ୍କ ସାମ୍ନାରେ ମନଖୋଲି ହସନ୍ତି ନାହିଁ, କାଳେ ପିଲା ତାଙ୍କୁ ଆଉ ଡରିବ ନାହିଁ ।

ଶିକ୍ଷକ ସାମ୍ନାରେ ପିଲାମାନେ ହସି ପାରନ୍ତି ନାହିଁ, କାଳେ ଶିକ୍ଷକ ପ୍ରତି ଅସମ୍ମାନ ହେବ । ଶିକ୍ଷକମାନେ ମଧ୍ୟ ପିଲାଙ୍କ ସାମ୍ନାରେ ହସିବାଟାକୁ ଅସ୍ବାଭାବିକ ମନେ କରନ୍ତି ।

ଘରେ ବଡଲୋକଙ୍କ ସାମ୍ନାରେ ପିଲାମାନେ ହସିବା ଅଭଦ୍ରାମି ମନେ କରନ୍ତି । ପିଲାଙ୍କ ସାମ୍ନାରେ ଘରର ବଡଲୋକଙ୍କ ହସିବା ମଧ୍ୟ ଅନୁରୂପ ମନେହୁଏ । ଶାଶୁ ଶ୍ୱଶୁରଙ୍କ ସାମ୍ନାରେ ବୋହୂ ମନଖୋଲି ହସି ପାରିବ ନାହିଁ । ବୋହୂ ସାମ୍ନାରେ ମଧ୍ୟ ଶାଶୁ ଶ୍ୱଶୁର ହସିବା ସାମାଜିକ ଚଳଣି ବାହାରେ ଧରାଯାଏ ।

ବଡ ହାକିମମାନେ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ସାମ୍ନାରେ ହସିଲେ କାଳେ ତାଙ୍କର କର୍ମଚାରୀମାନେ ତାଙ୍କୁ ମାନିବେ ନାହିଁ ବା ସମ୍ମାନ ଜଣାଇବେ ନାହିଁ ସେଇ ଭୟରେ ସେମାନେ କାର୍ଯ୍ୟାଳୟରେ ଆଠ ଦଶ ଘଣ୍ଟା ଗମ୍ଭୀର ହୋଇ ବସିଥାନ୍ତି । ଅଧିନସ୍ଥ କର୍ମଚାରୀମାନେ ମଧ୍ୟ ହସି ପାରନ୍ତି ନାହିଁ, ଉପରିସ୍ଥ ଅଧିକାରୀଙ୍କୁ ଅସମ୍ମାନ ହେବା ଭୟରେ ଓ ଅନୁଶାସନ ଅବମାନନା ଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ଭୟରେ ।

ଝିଅଟେ ରାସ୍ତାରେ ଚାଲୁଥିଲା ବେଳେ ବା ସର୍ବସାଧାରଣ ସ୍ଥାନରେ ଖିଲିଖିଲି ହସିପାରେ ନାହିଁ, ସେ ଚରିତ୍ରହୀନା ଚିତ୍ରିତଟିଏ ହୋଇଯିବା ଭୟରେ । ଯୁବକଟି ନିଯୁକ୍ତି ଖୋଜିଖୋଜି ନୟାନ୍ତ ହୋଇଗଲା ପରେ ଭୁଲି ସାରିଥାଏ ହସ ଜିନିଷଟିଏ ଅଛି ତା’ ଓଠରେ । ପିତାମାତା ହସିବା ଭୁଲିଯାଆନ୍ତି ଘରେ ବେକାରୀ ପୁଅ ଥିଲେ ବା ଅବିବାହିତା ଝିଅ ଥିଲେ ଓ ବୟସ ଗଡ଼ିଯାଉଥିଲେ ।

ଫଟାମାଟିରେ ଫସଲ ଉପାର୍ଜନ କରିନପାରି ଦାଦନ ଖଟିଯିବା ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ, ସମସ୍ତ ଯୋଗ୍ୟତା ଥାଇ ବାରମ୍ବାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଫଳ ହେଉଥିବା ଯୁବକ, ସନ୍ତାନସନ୍ତତିଙ୍କଠୁ ହତାଦର ହେଉଥିବା ବୃଦ୍ଧ ପିତାମାତା, ନଗଣ୍ୟ ଦରମାରେ କୁଟୁମ୍ବ ପ୍ରତିପୋଷଣ କରୁଥିବା ସ୍ବଳ୍ପବେତନ କର୍ମଚାରୀ – ଏମାନଙ୍କ ମୁହଁରୁ କେଉଁ ମନଖୋଲା ହସଟିକେ ବାହାରିବ ଯେ !

ଆଜିକାଲି ଘରେ, ବାହାରେ, ଅଫିସରେ, ସାଧାରଣ ସ୍ଥାନରେ ଭଲରେ ଟିକେ ହସି ହେଉନି ବୋଲି ‘ଲାଫିଙ୍ଗ୍ କ୍ଲବ୍’ ମଧ୍ୟ କଲେଣି । ହସଟି ହୃଦୟରୁ ନ ଆସିଲେ, ସେ ହସ ମଣିଷର ମନ ଓ ଶରୀର ପାଇଁ ଉପକାରୀ ହୋଇପାରିବ ନାହିଁ । ଆପଣ ମଧ୍ୟ ହସି ନପାରିବାର କାରଣ ଖୋଜନ୍ତୁ । ଦିନକୁ ଅନ୍ତତଃ କିଛି ସମୟ ମନଖୋଲା ହସଟିକେ ହସନ୍ତୁ । ସର୍ବଦା ହସି ପାରିଲେ ତ ଅତି ଉତ୍ତମ । ନିଜର ପାରିବାରିକ ଜୀବନ ତଥା ବୃତ୍ତିଗତ ଜୀବନରେ ଅନେକ ସଫଳତା ଆଣିଦେବ ହସ ।

ମୋ.ନଂ. : ୯୪୩୭୧୩୨୬୬୨

Leave A Reply

Your email address will not be published.

four × 5 =