ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମର୍ଥା, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଡେଲାଙ୍ଗ ଯୁଧିଷ୍ଠିର ପରିଡା ଯୋଗ ଦେଇଥିଲେ । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ । ପରେ ପରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମାଲ୍ୟାର୍ପଣ ଓ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରବଚକ ସୁଧୀର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ବୃକ୍ଷ ଉପହାର ଦେଇଥିଲେ । ଶିକ୍ଷଣ ସାମଗ୍ରୀ ଶିକ୍ଷକମାନେ ନିଜ ହାତରେ ପ୍ରସ୍ତୁତ କରିବା ସହିତ ପିଲାମାନଙ୍କୁ ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ସମର୍ଥା ନିଜ ଅଭିଭାଷଣରେ କହିଥିଲେ । ଠିକ୍ ସେହିପରି ଶିକ୍ଷା କ୍ଷେତ୍ରରେ ଡେଲାଙ୍ଗ ମଣ୍ଡଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବେଶ୍ ଯତ୍ନଶୀଳ, ରକ୍ଷଣଶୀଳ ତଥା ଅଭିନବ ଶିକ୍ଷଣ ଶୈଳୀର ପଥପ୍ରଦର୍ଶକ ଭାବରେ ପୁରୀ ଜିଲ୍ଲାରେ ବେଶ୍‌ ଆଦୃତ ବୋଲି ମୁଖ୍ୟବକ୍ତା ଡ. ପରିଡା ନିଜ ଅଭିଭାଷଣରେ କହିଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ନାଭିଚକ୍ର ପ୍ରକୋଷ୍ଠକୁ ଅତିଥିମାନେ ଭ୍ରମଣ କରି ସନ୍ତୋଷ ଲାଭ କରିଥିଲେ । ଡେଲାଙ୍ଗ ମଣ୍ଡଳର ୧୬ଟି‌ ଆଞ୍ଚଳିକ ସାଧନ କେନ୍ଦ୍ରରୁ ଆସିଥିବା ୩୨ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା । ଅଂଶଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରମାଣ ପତ୍ର ଦିଆଯିବା ସହିତ ପ୍ରଦର୍ଶନୀର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଦର୍ଶିକା ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ପ୍ରଧାନ ରେଞ୍ଚ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌଡକେରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୁନୁବାଳା ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶଙ୍ଖପାଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ‍ପବିତ୍ର ମୋହନ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ପ୍ରମାଣପତ୍ର ସହ ପ୍ରଶଂସିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୟାନିଧି ମାର୍ଥା, ଦୁର୍ଯ୍ୟୋଧନ ପ୍ରଧାନ, ଲୋକନାଥ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, କ୍ଷେତ୍ରବାସୀ ଆଳୁକ, ପବିତ୍ର ପଣ୍ଡା, କୈଳାଶ ସ୍ଵାଇଁ, ତପନ ମଲ୍ଲିକ, କୃତିବାସ ପରିଡା, ମନୋରଞ୍ଜନ ମହାରଣା, ପ୍ରଦୀପ୍ତ ବଳିୟାରସିଂହ, ପ୍ରଫୁଲ ଦାଶ, ଜଗନ୍ନାଥ ପରିଡା, ବସନ୍ତ ସେଠୀ ଓ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଆୟୋଜକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସର୍ବଶେଷରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + 19 =