
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ସୀତା ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ଶତାଧିକ ଭକ୍ତଙ୍କ ଗହଣରେ ମାତା ସୀତାଙ୍କର ଜନ୍ମୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଦ୍ୱାରା ଅନୁଷ୍ଠିତ ଏହି ଉତ୍ସବ ଅବସରରେ ରାମାୟଣ ପଠନ ଓ ବୈଠକୀ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସୀତା ନବମୀ, ଯାହାକୁ ଜାନକୀ ନବମୀ ବୋଲି ମଧ୍ୟ କୁହାଯାଏ, ମାତା ସୀତାଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସହଧର୍ମିଣୀ ମାତା ସୀତା ଏହି ଦିନ ଆବିର୍ଭାବ ହୋଇଥିଲେ । ଏହା ବୈଶାଖ ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ । ମିଥିଳା ସହିତ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଏହାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନଟିର ଆଧ୍ୟାତ୍ମିକ ଗୁରୁତ୍ୱ ବହୁତ, କାରଣ ସୀତା ଶୁଦ୍ଧତା, ଭକ୍ତି, ସହନଶୀଳତା ଓ ଧୈର୍ଯ୍ୟର ପ୍ରତୀକ । ଭକ୍ତମାନେ, ବିଶେଷ କରି ନାରୀମାନେ, ଉପବାସ କରି ପୂଜା କରନ୍ତି ଏବଂ ରାମାୟଣ ପାଠ କରି ପରିବାରର ସୁଖ-ଶାନ୍ତି, ଦାମ୍ପତ୍ୟ ଜୀବନ ଓ ଆତ୍ମିକ ଶକ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ସୀତା ନବମୀ ଆମକୁ ଧର୍ମ, ତ୍ୟାଗ ଓ ଅତୁଟ ବିଶ୍ୱାସର ମୂଲ୍ୟ ବୁଝାଇଥାଏ । ଆଜିର ଉତ୍ସବରେ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କର ଧର୍ମ ପତ୍ନୀ ରଶ୍ମି ରାଣୀ ମାତା ସୀତାଙ୍କର ପିତାମାତା ଭୂମିକା ନିର୍ବାହ କରିଥିଲେ । ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ଵାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇଥିଲା । ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ସୀତା ନବମୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସହଯୋଗ କରିଥିଲେ ହରେକୃଷ୍ଣ ବୁଡେକ, ଗଣ୍ଡରାମ ଗହୀର, ସୁରେଶ ବୁଡେକ, ସତ୍ୟ ଗହୀର, ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ସର୍ବଜିତ ତ୍ରିପାଠୀ, ମୁଖୀ ମାଝୀ, ସବିତା ସାହୁ, ସବିତା ବୁଡେକ ଓ ଭୂମିସୁତା ତ୍ରିପାଠୀ ।