ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଲିଙ୍ଗରାଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ସହରର ଐତିହାସିକ ଗୁରୁତ୍ୱକୁ ସ୍ମରଣ କରିବା ସହ ପୁଣି ଥରେ ସହରକୁ ଓଡ଼ିଶା ମାନଚିତ୍ରରେ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ଥାନିତ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ । ବରିଷ୍ଠ ନାଗରିକ ପରିଷଦ ଏହାର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ‘ନବୀନ’ର ସମ୍ପାଦକ ରବି ରଥ ଯୋଗ ଦେଇ ବରିଷ୍ଠ ନାଗରିକମାନେ ହେଉଛନ୍ତି ଦିଗଦର୍ଶକ ସେମାନଙ୍କ ଦ୍ୱାରା ଆଜି ବି ବହୁତ କାର୍ଯ୍ୟ କରାଯାଉଛି । ସେମାନଙ୍କର ମୌଳିକ ସମସ୍ୟାକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ । ଗ୍ରାସିମ ଶିଳ୍ପ ମୁଖ୍ୟ ଅଜୟ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ଗଞ୍ଜାମର କାର୍ଯ୍ୟ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଏବଂ ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ୫ ଜଣ ସର୍ବ ବରିଷ୍ଠ ସଦସ୍ୟଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ପରିଷଦ ପକ୍ଷରୁ କରାଯାଇଥିବା ସ୍ମରଣିକାକୁ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବ୍ରହ୍ମପୁରଠାରୁ ପୁରୀ ସିଧା ସଳଖ ଟ୍ରେନ ସହ ବରିଷ୍ଠ ନାଗରିକମାନଙ୍କୁ ଟ୍ରେନରେ ଦିଆଯାଇ ଥିବା ରିହାତି କେନ୍ଦ୍ର ସରକାର ପ୍ରତ୍ୟାହାରକୁ ନେଇ ଜିଲ୍ଲାସ୍ତରୀୟ ଫୋରମ୍‌ ଗଠନ କରି ଦାବୀ ଉଠାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ବିଚାରକଙ୍କୁ ସମ୍ମାନିତ ଏବଂ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଗୌରୀଶଙ୍କର ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ବିନୋଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହ-ସମ୍ପାଦକ ବିପ୍ର ଚରଣ ମହାପାତ୍ର, ବ୍ରଜସୁନ୍ଦର ପାଣିଗ୍ରାହୀ, ଦେବେନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ମହାପାତ୍ର, ବିନୋଦ ପାଢ଼ୀ, ଅରୁଣ ପଣ୍ଡା, କନ୍ଧ ଶତପଥୀ, ନରସିଂହ ପଣ୍ଡା, କନ୍ଧ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

fourteen + three =