
- ଟାଇ ବ୍ରେକରରେ ସମ୍ବଲପୁର ଦଳକୁ ହରାଇ ସୁନ୍ଦରଗଡ଼ ଚମ୍ପିଆନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ଓଡ଼ିଶା ରାଜ୍ୟ ୧୪ ବର୍ଷରୁ କମ୍ ବାଳକ ଚମ୍ପିଆନସିପ୍ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଫୁଟବଲ ମହାକୁମ୍ଭ ଓଡ଼ିଶା ବିଦ୍ୟାଳୟ କ୍ରୀଡା ସଂଗଠନ ଆନୁକୂଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ୨୦ ଗୋଟି ଜିଲ୍ଲା ଦଳର ବାଳକମାନେ ଅଂଶଗ୍ରହଣ କରିଥିଲେ । ଆଜି ପୂର୍ବାହ୍ନରେ ଦୁଇଟି ସେମିଫାଇନାଲ ଓ ଶେଷରେ ସମ୍ବଲପୁର ଓ ସୁନ୍ଦରଗଡ଼ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ସୁନ୍ଦରଗଡ଼ ଦଳ ଟାଇ ବ୍ରେକର ଦ୍ଵାରା ସମ୍ବଲପୁର ଦଳକୁ ହରାଇ ଚମ୍ପିଆନ ହୋଇଛନ୍ତି । ଜିଲ୍ଲା ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଦେବାଶିଷ ସିଂହ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଉପ ଜିଲ୍ଲାପାଳ ସୋନପୁର ଡକ୍ଟର ସୋମ୍ୟରୂପା ରଥ ଯୋଗଦେଇ ଉଦ୍ବୋଧନ ଦେବା ସହ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ବାବାଜି ବିଶ୍ଵନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିନି ଦିନ ଧରି ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବିଭିନ୍ନ ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହୃଦୟ ସହଯୋଗରେ ଏସୀୟ ପ୍ରତିଯୋଗିତା ସୁରୁଖୁରୁରେ ସମ୍ପାଦନ କରାଯାଇଥିଲା ।