
ଭୁବନେଶ୍ୱର : ଗତ ୧୪ ତାରିଖରୁ ହୋଇଥିଲେ ନିଖୋଜ । ରାସ୍ତା କଡ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ । ମୃତକ ବସ୍ତମପୁର ଗ୍ରାମର ଭାରତ କହଁର ବୋଲି ଜଣାପଡ଼ିଛି । ତାଙ୍କୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପିଙ୍ଗଲାବେଡା ନିକଟ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଯୋଗ୍ୟ ଯେ,ବସ୍ତମପୁର ଗ୍ରାମର ଭାରତ କହଁର ଗତ ୧୪ ତାରିଖରୁ ମେରୁ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ହେଲେ ଗୁରୁବାର ସକାଳୁ ବାଉଁଶୁଣି ଥାନା ଅନ୍ତର୍ଗତ ପିଙ୍ଗଲାବେଡା ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଉଁଶୁଣି ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀ କୂଅରୁ ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ତାଙ୍କୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।