
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ପକ୍ଷରୁ ପ୍ରତି ମଙ୍ଗଳବାରକୁ ମଙ୍ଗଳବାର ୱାର୍ଡ଼ରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜି ସକାଳ ଦଶଟାରେ ୱାର୍ଡ଼ ନମ୍ବର ୧୦ରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଗମ୍ଭୀର ଓ ସଫଳ ପରିବେଶରେ ଅନୁଷ୍ଠିତ ହେଲା । ଏହି ଅବସରରେ ସ୍ଥାନୀୟ ନାଗରିକମାନେ ନିଜ ୱାର୍ଡ଼ର ବିଭିନ୍ନ ସମସ୍ୟା, ଅଭିଯୋଗ ଓ ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରିଥିଲେ । ପୌରପରିଷଦ ପକ୍ଷରୁ ସମସ୍ତ ଅଭିଯୋଗକୁ ସମ୍ବେଦନଶୀଳ ଭାବରେ ଶୁଣାଯାଇ, ତାହାର ଶୀଘ୍ର ଓ ପ୍ରଭାବଶୀଳ ସମାଧାନ ପାଇଁ ଆଶ୍ୱାସନ ଦିଆଗଲା । ଏହିପରି ଜନମୁଖୀ ପଦକ୍ଷେପ ମାଧ୍ୟମରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ସହଯୋଗ ଆହୁରି ଦୃଢ଼ ହେଉଛି । ସମସ୍ତଙ୍କ ସହଯୋଗରେ ଟିଟିଲାଗଡର ସମଗ୍ର ଉନ୍ନତି ନିଶ୍ଚିତ ହେବା ଆମର ସଂକଳ୍ପ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କହିଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମ ସରିବା ପରେ ପ୍ରବଳ ଗ୍ରୀଷ୍ମକୁ ଆଖି ଆଗରେ ରଖି ସହରର ଜଗନ୍ନାଥ ମନ୍ଦିର ସମ୍ମୁଖରେ, ମଦନ ଜାଲ ଛକ ଓ ଗୋପବନ୍ଧୁ ପାର୍କ ନିକଟରେ ତିନୋଟି ଶୀତଳ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ । ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ଅନ୍ୟ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ ।