ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଲକ୍ଷ୍ୟରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ନିକଟସ୍ଥ କାଳୀପଲ୍ଲୀ ପଞ୍ଚାୟତର ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଗୋପାଳପୁର ବନ୍ଦରର ଉପ-ସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପ-ସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଚିତ୍ତରଞ୍ଜନ ବାହିନୀପତି, ସ୍ତ୍ରୀ ଓ ପ୍ରସୂତି, ଔଷଧ ଏବଂ ଶିଶୁ ବିଭାଗର ୬ ଜଣ ଡାକ୍ତର ଏବଂ କାଳୀପଲ୍ଲୀ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ଚିକିତ୍ସା ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରାୟତଃ ୩୦୦ରୁ ଅଧିକ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବାଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ । ନିକଟରେ ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଏକ ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ କରାଯାଇଥିଲା । ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସର୍ବଦା ବଦ୍ଧପରିକର ବୋଲି ଗୋପାଳପୁର ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.