
- ସବୁ ହଷ୍ଟେଲରେ ନିଯୁକ୍ତ ହେବେ କାଉନସେଲର, ଉନ୍ନତ ହେବ ଅଙ୍ଗନୱାଡ଼ି ଭିତ୍ତିଭୂମି
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍ଏସ୍ଡି ହାଇସ୍କୁଲରେ ଘଟିଥିବା ଅଭାବନୀୟ ଛାତ୍ର ମାଡମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ପ୍ରକାଶ ଥାଉକି, ଗତ ଅଗଷ୍ଟ ୩ ତାରିଖରେ ଉକ୍ତ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରେ ରହୁଥିବା ବେଳେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗାରେ ନିର୍ଦ୍ଧୁମ ପିଟିଥିଲା । ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ଅଧ୍ୟକ୍ଷା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ପରେ ନିଜ ପ୍ରତିକ୍ରିୟାରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଛି । ସ୍କୁଲର ଶିକ୍ଷକମାନଙ୍କୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପିଲାଙ୍କ ଖାଦ୍ୟପେୟ ଏବଂ ଶୋଇବା ବ୍ୟବସ୍ଥା ଠିକ୍ ଥିବାବେଳେ ସିସିଟିଭି କ୍ୟାମେରା ଅଚଳ ଥିବା ଦେଖିବାକୁ ମିଳିଥିଲା । ତେଣୁ ତୁରନ୍ତ ନୂତନ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିକାଲି ଛୋଟ ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅପରାଧିକ ପ୍ରବଣତାକୁ ରୋକିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏଁ ‘କାଉନସେଲର’ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି । ସେମାନେ ପିଲାମାନଙ୍କ ମାନସିକ ସ୍ଥିତିକୁ ବୁଝି ସେମାନଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଏଥିସହ ହଷ୍ଟେଲଗୁଡ଼ିକରେ ମ୍ୟାଲେରିଆ ନିରାକରଣ ପାଇଁ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ଉନ୍ନତ ମାନର ମଶାରି ଯୋଗାଇଦେବା ଏବଂ ପ୍ରାଥମିକ ଚିକିତ୍ସା ତଥା ଔଷଧର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ବାବଦରେ ସେ କହିଛନ୍ତି ଯେ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଉପମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଘୋଷଣା ଅନୁଯାୟୀ, ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନାହିଁ, ସେଠାରେ ଜାଗା ଚିହ୍ନଟ କରାଯାଇ ନୂତନ ଘର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି । ଆବଶ୍ୟକସ୍ଥଳେ ଅଧିକ ୬ ଲକ୍ଷ ଟଙ୍କା ମଧ୍ୟ ଯୋଗାଇ ଦିଆଯିବ । ପ୍ରତ୍ୟେକ କେନ୍ଦ୍ରରେ ପାଚେରି, ସ୍ୱତନ୍ତ୍ର ଶୌଚାଳୟ, ରୋଷେଇ ଘର, ପିଇବା ପାଣି ଏବଂ ପିଲାଙ୍କ ଖେଳିବା ପାଇଁ ସ୍ଥାନ ରହିବ। ‘ସକ୍ଷମ ଅଙ୍ଗନୱାଡ଼ି’ କେନ୍ଦ୍ରଗୁଡ଼ିକରେ ଏଲଇଡି ଲଗାଯିବାର ମଧ୍ୟ ବ୍ୟବସ୍ଥା ହେଉଛି । ଏହାଛଡ଼ା ‘ଅଦ୍ୱିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସ୍ୱଚ୍ଛତା, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦିଆଯାଉଛି । ପରିଶେଷରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ, ସ୍କୁଲ ଓ ହଷ୍ଟେଲଗୁଡ଼ିକରେ ଥିବା କର୍ମଚାରୀ ଅଭାବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ସେ ଜିଲ୍ଲାପାଳ, ପିଡି ଏବଂ ପିଏ ଆଇଟିଡିଏଙ୍କ ସହିତ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରିବେ । ଜିଲ୍ଲା ସ୍ତରରେ ଯାହା ସମସ୍ୟା ଅଛି ତାର ସମାଧାନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ପଠାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଏହି ଗସ୍ତ ବେଳେ ତାଙ୍କ ସହିତ ଏସ୍ଡିସି ଅଧ୍ୟକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ବିଜେପି ନେତା ଶିବ ଶଙ୍କର ଉଲାକା, ଅନିଲ ଜାଡି, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । କାରଙ୍କୁ ମଧ୍ୟ ପ୍ରସ୍ତାବ ପଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ବେଳେ ତାଙ୍କ ସହିତ ଏସ୍ଡିସି ଅଧ୍ୟକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ବିଜେପି ନେତା ଶିବ ଶଙ୍କର ଉଲାକା, ଅନିଲ ଜାଡି, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।