ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ମୁଦଘାଟ-ଚିପାକାନୀ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ମୃତ ଦେହ ପାଖେ ରହିଛି ମୃତକଙ୍କ ବାଇକ୍ : ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ ପଡ଼ିଥିବା ଜଣାପଡ଼ିଛି । ଏହି ଖବର ଦେଓଗାଁ ପୁଲିସ ପାଇବା ପରେ ରାତିରେ ଘଟଣା ସ୍ଥଳକୁ ପହଞ୍ଚିଥିବା ମଧ୍ୟ ଜଣାପଡ଼ିଛି । ହେଲେ ଦେଓଗାଁ ଓଆଇସି ରଞ୍ଜନ ବରିହାଙ୍କୁ ଏହି ବିଷୟରେ ପଚାରିବାକୁ ଚେ‌ଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ ।
ସୂଚନା ଯୋଗ୍ୟ ଯେ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୧୭ ଦିନ ତଲେ ଅର୍ଥାତ ୫ ତାରିଖ ଶୁକ୍ରବାର ଦିନ ସକାଳ ସାଢ଼େ ୮ଟା ସମୟରୁ ସୁନା ବ୍ୟବସାୟୀ ତାର ମା’କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ଏହି ଦିନ ସନ୍ଧ୍ୟା ସୁଦ୍ଦା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ । ଗୋଟିଏ ଦିନ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ । ରବିବାର ଦିନ ପରିବାର ଲୋକ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିବା ପରେ କୌଣସି ପତ୍ତା ମିଳି ନ ଥିଲା । ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶୀର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ । ସୁନା ବେପାରୀ ନିଖୋଜ ଘଟଣାରେ ଗୁପ୍ତଧନ (ହଁଣା)ର କାରବାର ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ଗତ ୧୦ ତାରିଖ ଦିନ ଗୋଟିଏ କୂଆ ଭିତରେ ଏକ ମୃତ ଦେହ ପଡ଼ିଥିବା ସୂଚନା ପାଇ କୂଅକୁ ଦମକଳ ବିଭାଗ ପକ୍ଷରୁ କୂଅର ପାଣି ମଧ୍ୟ ଶୁଖା ଯାଇଥିଲା ।

Leave A Reply

Your email address will not be published.