ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ପଞ୍ଚାୟତର ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳଛି । ଏହି ହାତୀମାନେ ବୁଲାବୁଲି କରୁଥିବାରୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତର ଘୁମୁସର ବନ ଖଣ୍ଡର ୧୬ଟି ହାତୀ ବୁଧବାର ରାତି ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ ଆସି ଲଏରାଜୁର କେତେକ କଦଳୀ ବାଡ଼ି, ମୁକୁଲିଙ୍ଗିଆରେ ଥିବା କେତେକ ବାଉଁଶ ବୁଦାରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଉତ୍ତର ଘୁମୁସର ବନଖଣ୍ଡର ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ୪ଟି ଦନ୍ତା, ୫ଟି ମାଇ ହାତୀ ଓ ୭ଟି ଛୁଆହାତୀ ଆସିଥିବା ଜଙ୍ଗଲରେ ବୁଲାବୁଲି କରୁଥିବା ଜଣାପଡ଼ିଛି । ହାତୀମାନଙ୍କ ପାଦ ଚିହ୍ନ ଏବଂ ମଳର ସନ୍ଧାନ ମିଳିଛି । ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୁମାରୀ ବିଳମ୍ବିତ ରାତିରେ ନିଜର କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଗୁରୁବାର ପୂର୍ବାହ୍ନରେ ବନାଞ୍ଚଳ ଅଧିକାରୀ ସହିତ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ସିଏଚ୍. ଅନିତା ପାତ୍ର, ବିଭୁ ରଞ୍ଜନ ସାମନ୍ତରାୟ ସମେତ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ସହାୟତାରେ ଏ ନେଇ ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

three × five =