jayashree

ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଶିଷ୍ଟ ସମାଜସେବୀ ତଥା ପରାମର୍ଶଦାତା ପୁଷ୍ପାରାଣୀ ମିଶ୍ର ଯୋଗ ଦେଇ ମହିଳା ମାନଙ୍କର ସୁସ୍ଥ ଜୀବନ ଶୈଳୀ, କର୍କଟ ରୋଗ ଜନିତ ସମସ୍ୟାକୁ କିଭଳି ଭାବେ ଦୂର କରି ପାରିବା ଜଣାଇଥିଲେ । ସେ କହିଥିଲେ ଯେ, ମା’ମାନେ ପ୍ରଥମେ ସେମାନଙ୍କର ନିଜ ସ୍ଵାସ୍ଥର ଯତ୍ନ ନେବା ସହିତ ସର୍ବଦା ନିଜକୁ ଖୁସି ରଖି ପରିବାରର ଅନ୍ୟମାନଙ୍କୁ ଖୁସି ବାଣ୍ଟିବା ଉଚିତ । ଘରର ଜଣେ ଗୃହିଣୀ ହିଁ ପରିବାରର ପ୍ରକୃତ ପ୍ରଯତ୍ନଦାୟିକା । ଏଥିପାଇଁ ତାଙ୍କୁ ସବୁ ଦିଗରେ ସଚେତନତା ଦରକାର । ସମ୍ମାନିତ ଅତିଥି ଭାବେ ଡକ୍ଟର ରଶ୍ମୀ ଯାଦବ ତାଙ୍କ ବକ୍ତବ୍ୟରେ କହିଥିଲେ ଥିଲେ ଯେ, ମହିଳାମାନେ ନିଜକୁ ପ୍ରଥମ ପ୍ରାଥମିକତା ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ପରିବାରର ପୁଅ ଏବଂ ଝିଅଙ୍କୁ ମା’ମାନେ ତାଙ୍କର ସାଙ୍ଗ ଭଳି ଯୁବ ଅବସ୍ଥା ସମୟରେ ବିଭିନ୍ନ ସମସ୍ୟାକୁ କିପରି ସମାଧାନ କରାଯିବ ତାଙ୍କ ସହିତ ଖୋଲା ମନରେ ଆଲୋଚନା କରିବା ଦରକାର । ଶ୍ରଦ୍ଧା ଅନୁଷ୍ଠାନର ଫିଜିଓ ଥେରାପିଷ୍ଟ ଆଲୋକ ସାହୁ ମାଂସପେଶୀ ଜନିତ ସମସ୍ୟା ଉପରେ ତାର କାରଣ ଓ ନିରାକରଣ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସି.ଡବ୍ଳୁ.ଏସ. ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଣ୍ଟ ଡ. ପ୍ରଭାସିନୀ ବାର୍ଲା ବୟସ ବଢିଲେ ମହିଳା ମାନଙ୍କର ଜୀବନରେ ହେଉଥିବା ଶାରୀରିକ, ସାମାଜିକ ଏବଂ ମାନସିକ ପରିବର୍ତ୍ତନ ବିଷୟରେ ଏବଂ ସ୍ଵାସ୍ଥ୍ୟ ପାଇଁ ସଫାସୁତୁରାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରଦ୍ଧା ଉପସଭାପତି ଡଃ. ପ୍ରଭାକର ନାୟକ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଆଜିର ଦିନରେ ନିରୋଗ ଓ ଭଲ ସ୍ଵାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣୟାମର ଆବଶ୍ୟକତା ରହିଛି । ଏହା ନିତିଦିନିଆ ଭାବେ ଅଭ୍ୟସ୍ତ ହେଲେ, ମନକୁ ସଂଯମତା ସହିତ ଶାନ୍ତି ମିଳିଥାଏ । ଆଉ ମନ ଶାନ୍ତ ରହିଲେ ସ୍ଵାସ୍ଥ୍ୟ ଭଲ ରହିବ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେକ୍ଟର ୧୬ ଏ ବ୍ଲକ, ସି ବ୍ଲକ, ଜଗନ୍ନାଥପଲ୍ଳୀ, ତୁମକେଲା ଆଦି ଅଂଚଳରୁ, ମିରର ଫାଉଣ୍ଡେସନର କର୍ମୀ, ଶ୍ରଦ୍ଧା ସ୍କୁଲର ଶିକ୍ଷୟତ୍ରୀ, ଅଭିଭାବକ ମୋଟ ୮୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସୁକୁମାର ପାଣ୍ଡବ, ଗଗନ ମହାନ୍ତି, ଧୀରେନ୍ କୁମାର ଓଝା, ସୁଜାତା ରାଉତ, ଅଞ୍ଜଳି ମହାରଣା, ସୌଦାମିନୀ ପଟ୍ଟନାୟକ, ଇତିଶ୍ରୀ ଦାସ, ଚନ୍ଦ୍ରିକା ପାଣ୍ଡବ, ଶ୍ୱେତାଙ୍ଗିନୀ ଦଣ୍ଡସେନା, ଅର୍ଚ୍ଚନା ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.