csstore

ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲାଙ୍ଗିରବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହୀଦ ସୁଧୀର କୁମାର ତ୍ରିପାଠୀଙ୍କ ପାର୍ଥିବ ଶରୀର ବଲାଙ୍ଗିର ପହଞ୍ଚିବା ପରେ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ତାଙ୍କ ଲାଲ୍‌ଟିକ୍ରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବ ସୈନିକମାନଙ୍କ ଶୋଭାଯାତ୍ରାରେ ସହୀଦଙ୍କ ପାର୍ଥିବ ଶରୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ପୂର୍ବତନ ଲୋକସଭା ସଦସ୍ୟ ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସୋମନାଥ ମିଶ୍ର, ମାରୱାଡି ଯୁବା ମଞ୍ଚର ସଭାପତି ରିତେଶ ଅଗ୍ରୱାଲ, ସଦସ୍ୟ ଗଜାନନ ଅଗ୍ରୱାଲ, ସହରର ଅନେକ ବୁଦ୍ଧିଜୀବୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ଗ୍ରାମ କଣ୍ଟାପାଲି ଯିବା ସମୟରେ ଆଠଗାଁଠାରେ ଶତାଧିକ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହଲେଇ ଗ୍ରାମରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ତାଙ୍କ ନିଜସ୍ୱ ଗ୍ରାମ କଣ୍ଟାପାଲିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଗ୍ରାମରେ ପୂର୍ବତନ ବିଡିସିସି ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦେଓଗାଁ ବ୍ଲକର ଅଧ୍ୟକ୍ଷ ଦୟାନିଧି ଖମାରୀ, ଲୋକ ପ୍ରତିନିଧି, ୧୧ ଓଡିଶା ବାଟାଲିୟନ ଅଧିକାରୀମାନେ ଉପସ୍ଥିତ ରହି ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ସହୀଦ ଜବାନ ଅମର ରହେ’ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରଶାସନ ତରଫରୁ ଦେଓଗାଁ ବିଡିଓ, ତହସିଲଦାର ଓ ପୋଲିସ ପ୍ରଶାସନ ପହଞ୍ଚିଥିଲେ । ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ସହୀଦଙ୍କ ଶବ ସତ୍କାର କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସହୀଦଙ୍କୁ ଉଚିତ୍‌ ସମ୍ମାନ ପ୍ରଦାନ ପାଇଁ ସମସ୍ତ ପ୍ରକାରର ଆୟୋଜନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ଏବଂ ଆଗାମୀ ଦିନରେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ପେନସନ୍‌, ବିଧବା ପତ୍ନୀଙ୍କୁ ପେନସନ୍‌ ତଥା ଅନ୍ୟାନ୍ୟ ସୁବିଧା ଦେବାକୁ ବ୍ୟବସ୍ଥା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.