ବଙ୍ଗୋମୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଆବାସ ଗୃହ ଯୋଜନା, ଖାଉଟି ରେସନ୍ କାର୍ଡ, ଭତ୍ତା ଆଦି ସହ ବିଭିନ୍ନ ପ୍ରକାର ସାମୂହିକ ଓ ବ୍ୟକ୍ତିଗତ ମୋଟ ୬୮ ଗୋଟି ଅଭିଯୋଗ ହୋଇଥିଲା । ଏଥିରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା, ଟିଟିଲାଗଡ଼ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ଅତିରିକ୍ତ ତହସିଲଦାର ଛବି ପୋଡ଼, ଏବିଡ଼ିଓ ସୁଶାନ୍ତ ପାଣି, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ । କପିଲାଭଟାରେ ପ୍ୟାକ୍ସ ସ୍ଥାପନ, କପିଲାଭଟା ଠାରୁ ଚନୁଟମାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ପାଇଁ ଦାବି, କପିଲାଭଟା ପଞ୍ଚାୟତ ହେଡ କ୍ୱାର୍ଟର ଠାରେ ଆର୍ ଓ ୱାଟର ଯୋଗାଇ ଦେବା ସହ ବିଭିନ୍ନ ପ୍ରକାର ସାମୂହିକ ଓ ବ୍ୟକ୍ତିଗତ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଠାରେ ଗୁହାରି କରାଯାଇଛି । ଜିଲ୍ଲାପାଳ ବିଳମ୍ବରେ ଆସି ଥିବାରୁ ଅଭିଯୋଗକାରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.