pakka

ତୁଷୁରା ଏୟାରଷ୍ଟ୍ରିପରୁ ବିମାନ ସେବା କେବେ ?

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଆରମ୍ଭ କରି ସଭ୍ୟ ଡ. ରାଧାକାନ୍ତ ମିଶ୍ର ସୂଚନା ଦେଲେ ଯେ, ଏପ୍ରିଲ ୨୦୧୬ରେ ଏୟାର ଓଡିଶା ପକ୍ଷରୁ ଝାରସୁଗୁଡା, ରାଉରକେଲା ଓ ସମ୍ବଲପୁର ପରେ ପଶ୍ଚିମ ଓଡିଶାର ବଲାଙ୍ଗିର ଓ କଳାହାଣ୍ଡିକୁ ବିମାନ ସେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବଲାଙ୍ଗିରର ତୁଷୁରା ଓ କଳାହାଣ୍ଡିର ଉଦ୍‌କେଲା ଏୟାରଷ୍ଟ୍ରିପ୍‌ ନିରୀକ୍ଷଣ କରିବା ପରେ ତଥା ବ୍ୟବସାୟିକ ଦିଗକୁ ଅନୁଧ୍ୟାନ କଲା ପରେ ଉଭୟ ଏହାର ଷ୍ଟ୍ରିପ ଭଲ ସ୍ଥିତିରେ ଥିବା ଓ ସରକାରୀ ଅନୁମତି ମିଳିଲେ ମାସେ ମଧ୍ୟରେ ଏହି ଦୁଇ ଜିଲ୍ଲାକୁ ବିମାନ ସେବା ଆରମ୍ଭ କରିଦେବାକୁ ସେତେବେଳେ ଏୟାର ଓଡିଶା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦ୍ୱାରା ୧୯୬୭ ମସିହାରେ ଉଦ୍‌ଘାଟିତ ହୋଇଥିବା ତୁଷୁରା (ବଡଙ୍ଗୋମୁଣ୍ଡା) ଏୟାରଷ୍ଟ୍ରିପକୁ ବିଭିନ୍ନ ସମୟରେ ରାଜ୍ୟ ସରକାର ବ୍ୟବହାର କରି ଆସୁଛନ୍ତି । ଏବେ ଉଦ୍‌କେଲା ଏୟାରଷ୍ଟ୍ରିପ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ରାଜ୍ୟ ସରକାର ଖୁବ୍‌ ଶୀଘ୍ର ସେଠାରୁ ବିମାନ ସେବା ଆରମ୍ଭ କରିବା ଯୋଜନା କରିଛନ୍ତି । ଇତି ମଧ୍ୟରେ ଜୟପୁର ଏୟାରଷ୍ଟ୍ରିପ ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଦଳିତ ଆଦିବାସୀ ଅଧ୍ୟୁଷିତ କେବିକେ ଜିଲ୍ଲା ବଲାଙ୍ଗିର ପାଇଁ କୌଣସି ରାଜନେତା ଚିନ୍ତା କରୁନାହାନ୍ତି । ଏ ନେଇ ମନ୍ତ୍ରୀ ଟୁକୁନି ସାହୁ ତଥା ଜିଲ୍ଲାର ଏମ୍‌ପି, ଏମ୍‌ଏଲ୍‌ଏ ପ୍ରମୁଖ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବୀ ଜଣାଇବେ ବୋଲି ଆଶା । ଅଧିବେଶନର ଦ୍ୱିତୀୟ ପ୍ରସ୍ତାବ ଆଗତ କରି ଉପସଭାପତି ପ୍ରସନ୍ନ ମିଶ୍ର ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଖୁବ୍‌ ଶୀଘ୍ର ବଲାଙ୍ଗିରରେ ଖୋଳିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ସଂପାଦକ ଗୋବିନ୍ଦ ମିଶ୍ର, ଦିବାକର ହୋତା, ଛବିଲାଲ ବେହେରା, ପୁରୁଷୋତ୍ତମ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାଶ ତଥା ହରେକୃଷ୍ଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

2 × 3 =