jayashree

ଆଶ୍ରା ବୃଦ୍ଧାଶ୍ରମରେ ନୂଆଖାଇ ଅଢିଆ : ବରଗଡ଼ ମହିଳା ସମିତିର ନିଆରା ସେବା ପ୍ରୟାସ

ବରଗଡ଼, (ନିରୋଜ କୁମାର ପାଣୀ) : ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ଆତ୍ମୀୟତା ଓ ମାନବିକତାର ପର୍ବ । ଏହି ପବିତ୍ର ପର୍ବର ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବାର ଏକ ସୁନ୍ଦର ପ୍ରୟାସ କରିଛି ବରଗଡ଼ ମହିଳା ସମିତି । ବରଗଡ଼ ଜିଲ୍ଲା ସୋହେଲା ନିକଟ ଦଶମାଇଲ ଛକସ୍ଥିତ ଆଶ୍ରା ବୃଦ୍ଧାଶ୍ରମକୁ ନୂଆଖାଇ ଅଢିଆ ନେଇ ପହଞ୍ଚିଥିଲେ ସମିତିର ସଦସ୍ୟାମାନେ । ଅନ୍ତେବାସୀଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ସୁଖଦୁଃଖ ବିଷୟରେ ଆଲୋଚନା କରିଥିଲେ । ନୂଆଖାଇ ପର୍ବକୁ ଆଶ୍ରମର ଅନ୍ତେବାସୀମାନେ ମଧ୍ୟ ଖୁସିରେ ପାଳନ କରିପାରିବେ, ସେଥିପାଇଁ ସମିତି ପକ୍ଷରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ନୂଆ ଧୋତି, ଶାଢ଼ୀ, ଗାମୁଛା ଏବଂ ଛୁଆମାନଙ୍କ ପାଇଁ ନୂଆ ପୋଷାକ ସହ ରାସନ ସାମଗ୍ରୀ, ବିସ୍କୁଟ, ମିକ୍ସଚର, ତେଲ, ସାବୁନ, ବ୍ରସ୍‌ ଓ ବିଭିନ୍ନ ପନିପରିବା ଆଦି ଆଶ୍ରମକୁ ଦିଆଯାଇଥିଲା । ସମିତିର ସଦସ୍ୟାମାନେ ଅନ୍ତେବାସୀଙ୍କ ସହ ମିଶି ନୂଆଖାଇର ଖୁସି ବାଣ୍ଟିବା ସହ ଆଶ୍ରମର ପରିବେଶକୁ ଆତ୍ମୀୟତାରେ ଭରି ଦେଇଥିଲେ । ଏହି ସେବାମୂଳକ ପଦକ୍ଷେପକୁ ଆଶ୍ରମର ଅନ୍ତେବାସୀମାନେ ସ୍ୱାଗତ କରିବା ସହ ମହିଳା ସମିତିକୁ କୃତଜ୍ଞତା ଜଣାଇଥିଲେ । ବୃଦ୍ଧମାନଙ୍କ ଜୀବନରେ ଏକାକୀପଣ ଦୂର କରି ସେମାନଙ୍କ ମନରେ ଆତ୍ମୀୟତା, ସମ୍ମାନ ଓ ସହଯୋଗର ଭାବନା ସୃଷ୍ଟି କରିବାରେ ଏଭଳି ପ୍ରୟାସ ନିଶ୍ଚିତ ଭାବେ ଏକ ଉଦାହରଣ । ମହିଳା ସମିତିର ସଭାନେତ୍ରୀ ମନ୍ଦାକିନୀ ପତି, ସମ୍ପାଦିକା ରିନୁ ପତି ଓ କୋଷାଧ୍ୟକ୍ଷା ତନିମା ଦାଶଙ୍କ ନେତୃତ୍ୱରେ ଡା. କମଳିନୀଙ୍କ ସମେତ ଅନେକ ସଦସ୍ୟା ଆଶ୍ରମ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ନୂଆଖାଇର ଖୁସି ବାଣ୍ଟିଥିଲେ । ନୂଆଖାଇର ଅଢିଆ ହେଉ କି ମାନବିକତାର ଛୋଟିଆ ପ୍ରୟାସ—ଏହି ପଦକ୍ଷେପ ପ୍ରମାଣ କରିଛି, ପର୍ବର ପ୍ରକୃତ ଖୁସି ସେତେବେଳେ ସାର୍ଥକ ହୁଏ, ଯେତେବେଳେ ତାହା ସମସ୍ତଙ୍କ ସହ ବାଣ୍ଟି ହୁଏ ।

Leave A Reply

Your email address will not be published.