
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତାମୂଳକ ରାଲି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଆବାହକ ତଥା ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସନ୍ତୀ ସେଠୀ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ମୁରିବାହାଲ ସମିତିସଭ୍ୟ ଚକ୍ରଧର ହେର୍ଣ୍ଣା, ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁଅଁର ପ୍ରମୁଖ ଯୋଗଦେଇଥିଲେ । ଏବିଇଓ କାନ୍ତାରାମ ଧରୁଆ ଅତିଥିଙ୍କୁ ସ୍ୱାଗତ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ହାଇସ୍କୁଲର ବରିଷ୍ଠ ଶିକ୍ଷକ ହେମନ୍ତ ନାଗ ମଞ୍ଚ ପରିଚାଳନା କରିଥିଲେ । ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ଅଧ୍ୟୟନ କରି ସଫଳତାର ସହ ପାସ୍ଆଉଟ୍ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ନୂତନ ଭାବେ ଉଲ୍ଲାସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନବ ସାକ୍ଷରମାନଙ୍କୁ ଉଲ୍ଲାସ ପୁସ୍ତକ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସାକ୍ଷରତାର ଗୁରୁତ୍ୱ ଓ ନିରକ୍ଷରତା ଦୂରୀକରଣରେ ଉଲ୍ଲାସ କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମାଜର ପ୍ରତ୍ୟେକ ବର୍ଗକୁ ସାକ୍ଷର କରି ଏକ ଶିକ୍ଷିତ ଓ ସଚେତନ ସମାଜ ଗଠନ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ମୁରିବାହାଲ ସଦର ସିଆର୍ସିସି ହୃଷିକେଶ ଶିକା ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ,ଉଲ୍ଲାସ ସ୍ୱେଚ୍ଛାସେବୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।