କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା’ମାନଙ୍କ ଋଣ ଛାଡ କରାଯିବ : ସମରେନ୍ଦ୍ର

  • ବଲାଙ୍ଗିରର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ : ତାରା ବାହିନୀପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା’ମାନଙ୍କ ଋଣ ଛାଡ କରାଯିବ ବୋଲି କହିଛନ୍ତି ସମରେନ୍ଦ୍ର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ନିର୍ବାଚନ ପ୍ରତିଶ୍ର୍ରୁତି ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକ ହଇରାଣ ହେଉଛନ୍ତି । ରାଜ୍ୟର ବିଜେଡି ସରକାର ହେଉ କି କେନ୍ଦ୍ରର ବିଜେପି ସରକାର ଉଭୟେ ହେଉଛନ୍ତି ଚାଷୀ ବିରୋଧୀ ସରକାର । ଏମାନେ ସଦାସର୍ବଦା ଚାଷୀକୁ ଲାଞ୍ଚିତ ଓ ଶୋଷଣ କରୁଛନ୍ତି । ପୂର୍ବରୁ ଅନେକ ଥର ବିଧାନସଭା ଆରମ୍ଭରୁ ରାଜ୍ୟପାଳ ନିଜ ପ୍ରଥମ ଅଭିଭାଷଣରେ ଚାଷୀର ଜମିକୁ ୩୫% ଜଳସେଚନ କରାଯିବ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଏବେ ମଧ୍ୟ ଜଳସେଚନ ହେଉଛି ମାତ୍ର ୩% । ବିଧାନସଭାରେ ଅନେକ ଥର ଚାଷୀର କଷ୍ଟ ଉପାର୍ଜିତ ଧାନର ସହାୟକ ମୁଲ୍ୟ ପ୍ରାୟ ଦେଢଗୁଣ ବଢାଇବା ପାଇଁ ବିଧାନସଭାର ସମସ୍ତ ୧୪୭ ସଭ୍ୟ (ଉଭୟ ସରକାରୀ ଦଳର ବିଧାୟକ ଓ ବିରୋଧୀ ଦଳର ବିଧାୟକ) ପ୍ରସ୍ତାବ ପାରିତ କଲାପରେ ମଧ୍ୟ କେନ୍ଦ୍ର ସରକାର ଉପରୋକ୍ତ ପ୍ରସ୍ତାବ ଅନୁମୋଦନ ନଦେବା ଚାଷୀ ପିଠିରେ ଚାବୁକ୍‌ ସଦୃଶ । ଏହି ବିଜେଡି ଓ ବିଜେଡି ସରକାର ଅମଳରେ ସ୍କୁଲରେ ଶିକ୍ଷକ ନାହିଁ, ଯୁବକଙ୍କ ପାଇଁ ରୋଜଗାର ନାହିଁ । କୃଷକ ପାଇଁ ଉତ୍ପାଦନର ଦାମ୍‌ ନାହିଁ । ଡାକ୍ତରଖାନାରେ ଡାକ୍ତର ନାହିଁ । ତେଣୁ ଆପଣମାନେ ଜାଣିବା ଦରକାର, ଏପରି ନାହିଁ ନାହିଁର ସରକାରରେ ସମାଜର ଉନ୍ନତି ହୋଇପାରିବ ନାହିଁ । ଯଦି ଆମକୁ ଏପରି ଅରାଜକତାରୁ ନିଜକୁ ରକ୍ଷା କରିବାର ଅଛି, ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସଦର ବ୍ଲକ ଅନ୍ତର୍ଗତ ତୁଳଣ୍ଡି, ଆର୍‌ଆର୍‌ କଲୋନୀ, ବଲାଙ୍ଗିର ପୌରାଞ୍ଚଳର ସତ୍ୟନାରାୟଣପଡାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଜନ ଆଶୀର୍ବାଦ ସଭାରେ ଅନ୍ୟତମ ଅତିଥି କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ, ସୂଚନା ଅଧିକାର ଆଇନ ହେଉ କି ଏମ୍‌ଜିଏନ୍‌ଆରଜିଏ ଯୋଜନା, ଖାଦ୍ୟ ସୁରକ୍ଷା ଆଇନ କି ଶିକ୍ଷା ଅଧିକାର ଆଇନ, ଏ ସମସ୍ତ ଆଇନ ଲୋକଙ୍କ ହିତ ପାଇଁ କଂଗ୍ରେସ ସରକାର ହିଁ ଲାଗୁ କରିଛି । ଏପରିକି କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଋଣ ମାଫ କରିନାହାନ୍ତି । କିନ୍ତୁ ଅପରପକ୍ଷେ ଅତୀତରେ କଂଗ୍ରେସ ସରକାର ଅମଳରେ କୃଷକମାନଙ୍କ ହିତ ପାଇଁ ୭୨ ହଜାର କୋଟି ଟଙ୍କାର ଋଣ ମାଫ କରାଯାଇଛି । ତେଣୁ ସମସ୍ତେ ମିଳିମିଶି ବଲାଙ୍ଗିରର ଉନ୍ନତି କରିବାକୁ ହେଲେ କଂଗ୍ରେସର ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଥିଲେ । ସଭାମାନଙ୍କରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରେଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ୍‌ ବିଦ୍ୟୁତ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ୫ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, କୃଷକମାନଙ୍କ ପାଇଁ ବୋନସ୍‌ ସହ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ, କୃଷକମାନଙ୍କ ପାଇଁ ୨ ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟଙ୍କ ଋଣ ଛାଡ ଓ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳା ୩ ହଜାର ଟଙ୍କା ଭତ୍ତା, ୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ବ୍ୟବସ୍ଥା ସହ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ପ୍ରଦାନ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ୧୦୦ ଦିନ ଭିତରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.