
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ନେତୃତ୍ୱରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦୁଇଟି ମୁଖ୍ୟ ଦାବିକୁ ନେଇ ଏହି ଆନ୍ଦୋଳନ ହୋଇଥିଲା । ପ୍ରଥମ ଦାବି ଭାବେ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ କରି ତାହାର ତାରିଖକୁ ଆଗକୁ ବଢାଇବାକୁ ଦାବି କରାଯାଇଥିଲା । ଦ୍ୱିତୀୟତଃ ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ଅତ୍ୟଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶ୍ୱ ବିଦ୍ୟାଳୟକୁ ତତ୍କାଳ ବନ୍ଦ କରିବା ପାଇଁ ଦାବି ଉଠିଥିଲା । ଏହି ଆନ୍ଦୋଳନକୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ସୁଚାରୁ ଭାବେ ସଂଗଠିତ କରାଯାଇଥିଲା । ତାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ସଦସ୍ୟମାନେ ଦୃଢ ଭାବରେ ଏହି ଦୁଇଟି ଦାବିକୁ ଉପସ୍ଥାପନା କରି ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲେ । ବିକ୍ଷୋଭ ସମୟରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରି ନିଜ ଅଧିକାର ପାଇଁ ସ୍ୱର ଉଠାଇଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଜଣାଇଯାଇଛି ଯେ, ଚିନ୍ମୟ ବେହେରାଙ୍କ ସକ୍ରିୟ ପଦକ୍ଷେପ ଓ ଦୃଢ ନେତୃୃତ୍ୱର ଫଳ ସ୍ୱରୂପ ବିଶ୍ୱ ବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କ ଦାବିକୁ ସକାରାତ୍ମକ ଭାବେ ଗ୍ରହଣ କରିଛି । ଏହାର ପରିଣାମସ୍ୱରୂପ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ କରାଯାଇ ତାହାର ତାରିଖକୁ ଆଗକୁ ଘୁଞ୍ଚାଯାଇଛି । ଏହି ସଫଳତାକୁ ଛାତ୍ର କଂଗ୍ରେସ ତାଙ୍କର ଏକତା, ସଂଘର୍ଷ ଓ ଛାତ୍ରହିତ ପ୍ରତିବଦ୍ଧତାର ଜୟ ବୋଲି ବର୍ଣ୍ଣାନା କରିଛି ।