ସଂଜୟଙ୍କ ପାଇଁ ମହାଭାରତ : କୌରବ-ପାଣ୍ଡବଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୁଦ୍ଧରେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଯାହା ଜିଲ୍ଲାବାସୀଙ୍କୁ ଆଚମ୍ବିତ କରିଥିଲା । ସଂନ୍ଧ୍ୟାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ମୁଖ୍ୟ ଶାସନ ସଚିବ ନିଲମ୍ବନ ଖବର ପ୍ରକାଶିତ ହେବା ପରେ ସବୁଠି ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । କିଛି ଲୋକ ସଂଜୟଙ୍କ ଚରିତ୍ର ଚିତ୍ରଣ କରିବା ସହ ଜବର ଦଖଲ ଉଚ୍ଛେଦ, କୋଭିଡ ନିୟନ୍ତ୍ରଣରେ ତାଙ୍କର ଭୂମିକା କଥା କହୁଥିବାବେଳେ ଆଉ କିଛି ଲୋକ ସଂଜୟଙ୍କୁ ବଲାଙ୍ଗିର ପାଇଁ ବରଦାନ ବୋଲି କହିବା ସହ ସହରର ବିକାଶରେ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ଉପରେ ପକ୍ଷ ରଖୁଥିବା ଶୁଣିବାକୁ ମିଳୁଛି । ଆହୁରି ସଂଜୟଙ୍କ କାମ କରିବାର ନିର୍ଭିକ ତରିକା ଉପରେ କିଛି ଲୋକ ନିଜସ୍ୱ ମତ ରଖୁଥିବା ବେଳେ ଏହି ଘଟଣାରେ ଷଡଯନ୍ତ୍ର ମୁତାବକ ତାଙ୍କୁୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫଶାଇ ଦିଆଯାଇଥିବା ଆଶଙ୍କା କରୁଛନ୍ତି । ଯଦି ଏଭଳି ନିର୍ଭିକ କର୍ମନିଷ୍ଠ ପ୍ରଶାସକଙ୍କ ଅଥଚ ପରିଶ୍ରମର ଫଳ ଏଇୟା ତେବେ ଆଗକୁ କୌଣସି ପ୍ରଶାସକ ବଲାଙ୍ଗିରର ଉନ୍ନତି ପାଇଁ କାମ କରିବେ ନାହିଁ ବୋଲି ଅନେକେ ମତ ବାଢୁଛନ୍ତି । ଅନ୍ୟପଟେ କିଛି ଲୋକ ସଂଜୟଙ୍କ କାର୍ଯ୍ୟକ୍ଷେତ୍ରରେ ଦୁର୍ବ୍ୟବହାର, ଭୟାବହ କୋଭିଡ ସମୟରେ ନିର୍ଦୟତାପୂର୍ଣ୍ଣ ଜବର ଦଖଲ ଉଚ୍ଛେଦ, ବେଆଇନ ଜମି କାରବାର ତଥା ସରକାରୀ କର୍ମଚାରୀଙ୍କ ସହ ସଂପୃକ୍ତି ନେଇ ଦୋଷୀ ସାବ୍ୟସ୍ତ କରୁଥିବା ବେଳେ ଏହି ଘଟଣା ଏଭଳି ପ୍ରଶାସକଙ୍କ ପାଇଁ ଶିକ୍ଷା ଦେବ ବୋଲି କହୁଛନ୍ତିିି । ତେବେ ବଲାଙ୍ଗିରରେ ଏବେ ସଂଜୟଙ୍କ ପାଇଁ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମହାଭାରତ ହେଉଥିବା ଦେଖାଯାଉଛି । ଏପରିକି କିଛିଲୋକ ନିଜ ନିଜ ଭିତରେ ଦୁଇ ଗୋଷ୍ଠୀ ହୋଇ କଥା କଟାକଟି ହେଉଥିବା ବେଳେ ଏହାକୁ ସଂଜୟଙ୍କ ପାଇଁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ତେବେ ମା’କୁ ସମ୍ମାନ ଦେଉଥିବା ସରକାର ଯେଉଁଠି ସରକାରୀ ବାବୁଙ୍କ ନିଜସ୍ୱ କାର୍ଯ୍ୟାଳୟର ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ କରିଥିବା ବେଳେ ସେଇଠି ବିରୋଧୀ ଦଳର କିଛି କର୍ମକର୍ତ୍ତା ଏହାକୁ ସାମାଜିକ ଗଣମାଧ୍ୟମରେ ବିରୋଧ କରୁଥିବା ବିଷୟ ବୁଝା ପଡୁନାହିଁ । ବିଗତ ଦିନରେ ରାଜ୍ୟର ବିଭିନ ଅଂଚଳରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରୁଥିବା କିଛି ବିରୋଧୀ ଏବେ ନିଜ ସହରରେ ମହିଳାଙ୍କୁ ଖୋଲାଖୋଲି ଅସଦାଚରଣ ଘଟଣାରେ ନିଲମ୍ବିତ ଉପଜିଲ୍ଲାପାଳଙ୍କ ସପକ୍ଷରେ ଯୁକ୍ତି ବାଢୁଥିବା ଶୁଣିବାକୁ ମିଳୁଛି । ଆଲୋଚନା ହେଉଛି, ଆହୁରି ବିକାଶର ବାର୍ତ୍ତା ଦେଇ ଗାଦିକୁ ଆସିଥିବା ବିକାଶ ପୁରୁଷଙ୍କ ପାଖଲୋକମାନେ ମଧ୍ୟ ସଂଜୟଙ୍କୁ ବିକାଶର ବାର୍ତ୍ତାବହ ରୁପେ ଯୁକ୍ତି ଦେଉଛନ୍ତି । ଯଦି କେବଳ ଜଣେ ପ୍ରଶାସକଙ୍କ ଚେଷ୍ଟାରେ ଏତେ ଗୁଡାଏ ବିକାଶ ସମ୍ଭବ ହୋଇପାରେ, ତେବେ ବଲାଙ୍ଗିର ଜନସାଧାରଣଙ୍କ ପାଇଁ ବିକାଶ ପୁରୁଷଙ୍କ ଆବଶ୍ୟକତା କ’ଣ ବୁଝିବା ମୁସ୍କିଲ ହେଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି । ତେବେ କ’ଣ, ଏଭଳି ଜଣେ ପ୍ରଶାସକଙ୍କ ଅଭାବରେ ବଲାଙ୍ଗିର ବିକାଶ ଆଜି ପର୍ଯ୍ୟନ୍ତ ଅଟକି ରହିଥିଲା ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ଜଣେ ଉଚ୍ଚପଦସ୍ଥ ସରକାରୀ ବାବୁଙ୍କ ବିରୁଦ୍ଧରେ ଏଭଳି ଏକ ଲଜ୍ଜ୍ୟାଜନକ ଅଭିଯୋଗରେ ନିଲମ୍ବନକୁ ସରକାରୀ ଦଳର କିଛି କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରୁଥିବା ଆଶ୍ଚର୍ଯ୍ୟଜନକ; ଯାହା ସରକାରୀ ଦଳ ଓ ସରକାରୀ ତନ୍ତ୍ରର ବିଫଳତା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବଲାଙ୍ଗିର ଉପ- ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ଉପରେ ତାଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ ମହିଳା କିରାଣୀ ଗତ ୧୪ ଅଗଷ୍ଠରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏ ସଂପର୍କୀୟ ତିନି ପୃଷ୍ଠା ବିଶିଷ୍ଟ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ସେ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ଘଟଣାରେ ଏକ ତିନିଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ଗୁରୁବାର ସୁଦ୍ଧା ଏହି ଘଟଣା କେବଳ ସରକାରୀ ମହଲରେ ସୀମିତ ଥିଲା । ଗତକାଲି ସକାଳୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ତେବେ ପ୍ରାରମ୍ଭିକ ତଦନ୍ତରେ କିଛି ତଥ୍ୟ ହାସଲ ପରେ ଗତକାଲି ସଂଧ୍ୟାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଉପରୋକ୍ତ ଘଟଣାରେ ଉପଜିଲ୍ଲାପାଳଙ୍କ ନିଲମ୍ବନ ନିର୍ଦ୍ଦେଶ ଜାରି କରିଥିଲେ । ଉକ୍ତ ନିଲମ୍ବନ ଆଦେଶ ଏକ ସାଧାରଣ ସରକାରୀ ତଦନ୍ତ ପ୍ରକ୍ରିୟା ହୋଇଥିବା ବେଳେ ଏହା କୌଣସି ଭାବରେ ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ଉକ୍ତିକୁ ପ୍ରମାଣିତ କରେନାହିଁ । ଉଭୟ ପକ୍ଷରେ ଆଇନର ବାଟ ଏବେ ବି ଖୋଲା ରହିଥିବା ବେଳେ କିଛି ଲୋକଙ୍କ ଦ୍ୱାରା ଗୋଟିଏ ସାଧାରଣ ଅସଦାଚରଣ ଅଭିଯୋଗ ଓ ଘଟଣାର ସରକାରୀ ପ୍ରକ୍ରିୟାର ଅଯଥା ରାଜନୀତିକରଣ କରାଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.