ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଉଠାଇଲା ଦାବି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ, ବିଡ଼ିଓ, ବିଇଓଙ୍କୁ ସଂଘ ଦେଇଛି ସ୍ମାରକପତ୍ର । ବିଇଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଘରଭଡା ବୃଦ୍ଧି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ କରିବାକୁ ଉଲ୍ଲେଖ କରାଯାଇଛି । କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ସ୍କୁଲରୁ ନିର୍ଦ୍ଧାରିତ ଦୂରତାରେ ଘରଭଡା ନେଇ ରହୁଥିଲେ ସୁଦ୍ଧା ଦୀର୍ଘ ଦିନରୁ ଲାଗୁ ହୋଇଥିବା ଏଚ୍‌ଆର୍‌ଏ ବୃଦ୍ଧି କରାଯାଉ ନାହଁ । ବର୍ତ୍ତମାନର ବଜାର ଦରକୁ ଦୃଷ୍ଟି ଦେଇ ସରକାର ଘରଭଡା ବୃଦ୍ଧି କରିବାକୁ ନିବେଦନ କରାଯାଇଛି । ସେହିପରି ବିଡ଼ିଓଙ୍କୁ ସ୍ଥାନୀୟ ଶିକ୍ଷକ ସଂଘର ପୁରାତନ କୋଠାର ପୁନଃରୁଦ୍ଧାର ପାଇଁ ଶୌଚାଳୟ ନିର୍ମାଣ, ପାଣି ଝରୁଥିବା ଛାତର ସୁରକ୍ଷା ପାଇଁ ସ୍ଥାୟୀ ଚଦର ଛାତ ନିର୍ମାଣ, ପାନୀୟ ଜଳ ଓ ସ୍ଥାୟୀ ବିଦ୍ୟୁତ ସଂଯୋଗ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଆଗାମୀ ଏକ ମାସ ମଧ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାପ୍ତି ସୂଚକ ପରୀକ୍ଷା ହେବ । ପୁଣି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଲାଗିରହିଛି । ତେଣୁ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ରହିଥିବା ବୋର୍ଡ ପରୀକ୍ଷାରେ ଏଲିମେଣ୍ଟାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରା ନ ଯିବା । ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଅପଡେଟ ହୋଇଥିବା ସେବା ପୁସ୍ତିକା ଓ ଜିଆଇଏସ୍‌ର ଏକାଉଣ୍ଟ୍ ନମ୍ବର ଆଗାମୀ ମାର୍ଚ୍ଚ ୧୫ ସୁଦ୍ଧା ପ୍ରଦାନ ତଥା ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସିସିଆର୍‌ ପ୍ରଦାନ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ବିଇଓଙ୍କ ଅନୁପସ୍ଥିତିରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ସ୍ମାରକପତ୍ର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ସେକ୍‌ସନ୍‌ ଅଫିସର ଜନ୍ମେଜୟ ପାତ୍ର ଉପସ୍ଥିତ ରହିଥିଲେ । ଜୟଦେବ ଧରୁଆ, ସୀତାରାମ ଦୀପ, ରାଜେଶ୍ଵର ବେହେରା, ଶାନ୍ତନୁ ମେହେର, ପ୍ରଭାତ ରଞ୍ଜନ ସାହୁ, ଦୁର୍ବାଦଳ ବଡଗୋଛିଆ, ପ୍ରକାଶ ମାହାଣା ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

18 − five =