ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ସଭାଗୃହ ପରିସରରେ ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ମହାସଙ୍ଗମ ଅନୁଷ୍ଠିତ ହୋଇଯାଇଛି । କବି ଓ ଆଇନଜୀବୀ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱ ତଥା ସମ୍ପାଦକ ସୋମନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମନୋଜ୍ଞ ସାରସ୍ୱତ ସମାରୋହରେ ‘ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା’ ଉପରେ ଗଭୀର ଆଲୋକପାତ କରାଯାଇଥିଲା । ସଭାପତି ନିଜ ଅଭିଭାଷଣରେ ସାହିତ୍ୟ ଆସରର ଗୁରୁତ୍ୱ ପ୍ରତିପାଦନ କରିବା ସହ ଏହାକୁ ଆମ ପରମ୍ପରା ଓ ସଂସ୍କୃତିର ଅନିର୍ବାଣ ପ୍ରହରୀ ଭାବେ ଅଭିହିତ କରିଥିଲେ । ଏହି ଅବସରରେ ଆୟୋଜିତ ଭାବଗମ୍ଭୀର କବିତା ଆସରକୁ କବି ଯତିରାଜ ନାୟକ ସଂଯୋଜନା କରିଥିବା ବେଳେ ଡଃ. ପ୍ରଶାନ୍ତ କୁମାର ଶତପଥୀ, ସୋମନାଥ ସାହୁ, ଶୈଳବାଳା ପାଣିଗ୍ରାହୀ, ରୀତା ରଥ, ସନ୍ତୋଷ ବଡ଼ତ୍ୟା, ଯତିରାଜ ନାୟକ, ଜି. ପାପା ରାଓ, ନରେନ୍ଦ୍ର କୁମାର ପଣ୍ଡା, ବଳରାମ ପଲାଇ, ଦୁର୍ଗା ଚରଣ ପଲାଇ, ସୁରେନ୍ଦ୍ର କୁମାର ସେନାପତି, ଉମା ଚାରଣ ବେହେରା, ତ୍ରିନାଥ ସାହୁ, ରାମଚାନ୍ଦ୍ର ନନ୍ଦ, ବିଶ୍ୱମ୍ବର ରଥ, ଏବଂ ବିଜୟ କୁମାର ରାଉଳ ପ୍ରମୁଖ ସ୍ୱରଚିତ କବିତା ପାଠ କରି ବାତାବରଣକୁ ରସସିକ୍ତ କରିଥିଲେ । ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ (ତୃତୀୟ ରବିବାର) ଦିନ “ସୃଜନ ସାହିତ୍ୟ”ର ଷଷ୍ଠ ବାର୍ଷିକ ମହୋତ୍ସବକୁ ଅତ୍ୟନ୍ତ ଆଡମ୍ବର ସହକାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ସର୍ବସମ୍ମତି କ୍ରମେ ସଂକଳ୍ପ ଗ୍ରହଣ କରାଯାଇଥିଲା । ପରିଶେଷରେ କବି ସନ୍ତୋଷ କୁମାର ବଡ଼ତ୍ୟା ଉପସ୍ଥିତ ସମସ୍ତ ସାରସ୍ୱତ ପ୍ରେମୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
