ଡାଳୁଆ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ଥିବା ଚାଷୀ ଜିଲ୍ଲାପାଳଙ୍କ ପରେ ମନ୍ତ୍ରୀଙ୍କୁ କଲେ ଗୁହାରୀ : ସମସ୍ୟାର ସମାଧାନ ନ ହେଲେ ହେବ ତାଲାବନ୍ଦ ଆନ୍ଦୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ପୋତ୍ସାହନରେ ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଚାଷୀମାନେ ନିଜ ଉଦ୍ୟମରେ ବୋର୍‌ୱେଲ ଖୋଲି ଦୀର୍ଘ ବର୍ଷ ହେଲା ଚାଷ କରୁଛନ୍ତି । ପ୍ରତିବର୍ଷ ଡ଼ାଲୁଆ ଚାଷ କରି ମଣ୍ଡିରେ ବିକ୍ରି କରୁଥିଲେ । କିନ୍ତୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ଦୋମୁହା ନୀତି ଯୋଗୁଁ ଏହି ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ହେଉଛନ୍ତି । ଫଳରେ ସୋମବାର ଦିନ ଜିଲ୍ଲାପାଳଙ୍କ ଜରିଆରେ କୃଷି ମନ୍ତ୍ରୀଙ୍କୁ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଠୁର୍ଲା ପ୍ରାଥମିକ ସମବାୟ ସମିତି ଅଧିନରେ ଥିବା କୁଠୁର୍ଲା ଗାଁର ଚାଷୀମାନେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷୀମାନେ କହିବା ଅନୁସାରେ ଗାଁର ପ୍ରାୟ ୪୧ ଜଣ ଚାଷୀ ବିଭିନ୍ନ ସୋର୍ସରୁ ୧୦୦ ଏକର ଧାନ ଚାଷ କରିଥାନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହଜାର ହାଜର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଛନ୍ତି । ନିଜସ୍ୱ ଉଦ୍ୟମରେ ବୋରୱେଲ କରି ବିଭିନ୍ନ ଜଳ ଉସ୍ୱରୁ ଚାଷ କରିଥିବା ଚାଷୀମାନେ ପେକ୍ସକୁ ପଞ୍ଜିକରଣ ପାଇଁ ଗଲେ ଯେଉଁମାନେ କେନାଲ ଓ ଉଠାଜଳସେଚନରୁ ଚାଷ କରିଛନ୍ତି ସେମାନଙ୍କ ପଞ୍ଜିକରଣ ହେବ ବୋଲି ପେକ୍ସ କର୍ତ୍ତୃପକ୍ଷ ଚାଷୀମାନଙ୍କୁ କହିଥିଲେ । ଏହି ବିଷୟରେ ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଳ୍ଲାପାଳଙ୍କୁ ଲିଖିତ ଭାବେ ଚାଷୀମାନେ ଜଣାଇଥିବା ଜଣାପଡ଼ିଛି । ଏପରି କି, ଗତ ୫ ତାରିଖ ଦିନ ବଲାଙ୍ଗିର ଜିଳ୍ଲାପାଳ କାର୍ଯ୍ୟାଳୟରୁ ଅନୁସନ୍ଦାନ କରିବା ପାଇଁ ପେକ୍ସ ସଂପାଦକ, ଆର.ଆଇ ଓ ଗ୍ରାମ୍ୟ କୃଷି କର୍ମୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଥିଲା । ତଥାପି ସମସ୍ୟାର କୌଣସି ସମାଧାନ ନ ହେବାରୁ ଚାଷୀମାନେ ନିରାଶ ହୋଇ କୃଷିମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ଯଦି ଏହାର ସମାଧାନ ନ ହୁଏ ତାହେଲେ କୁଠୁର୍ଲା ପେକ୍ସକୁ ତାଲାଦେଇ ଅଚଳ କରିଦିଆାଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.