ବ୍ଲକ ଅଧ୍ୟକ୍ଷ ଓ ସରପଂଚଙ୍କ ସହଯୋଗରେ ମୃତ କୋଭିଡ୍‌ ରୋଗୀଙ୍କ ଶବଦାହ

  • ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ କୋଭିଡ ଭୟରେ ପାଖ ମାଡଲେନି

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅଭୟମୁଖୀ ପଂଚାୟତର ପାଣିଓରା ଗ୍ରାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ ଶରୀରକୁ ବ୍ଲକ ପ୍ରଶାସନ ହସ୍ତକ୍ଷେପ ପରେ ଶବଦାହ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ସରପଂଚ, ସମିତି ସଭ୍ୟଙ୍କ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷଙ୍କ ସହଯୋଗୀ ମାନେ ମୃତକଙ୍କ ଶବଦାହ କରିଥିଲେ । ସୂଚନା ଯୋଗ୍ୟ ଯେ, ୫ ଦିନ ତଳେ ପାଣିଓରା ଗ୍ରାମର ଜୈନେକ ୮୩ ବର୍ଷ ବୟସ ମହିଳା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ପୁରୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସେଠାରେ ଅସୁବିଧା ହେତୁ ଘର ଲୋକମାନେ ଲିଖିତ ମାଧ୍ୟମରେ ଘରକୁ ଆଣିଥିଲେ । ସୋମବାର ସକାଳ ସମୟରେ ପାଣିଓରା ଗ୍ରାମରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ତାଙ୍କର ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ ମୃତ ଶରୀରକୁ ଶବ ଦାହ କରିବାକୁ ରାଜି ହୋଇ ନଥିବା ସହିତ ଭୟରେ ତାଙ୍କ ପାଖ ମାଡିନଥିଲେ । ଖବର ପାଇ ଅଭୟମୁଖୀ ପଂଚାୟତର ସରପଂଚ ପ୍ରସନ୍ନ ପରିଡା ଘଟଣା ସ୍ଥଳରେ ପହଂଚି ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ସାହୁ ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ ଓ ସ୍ଥାନୀୟ ତହସିଲାଦର ମହେନ୍ଦ୍ର କୁମାର ବଢେଇଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ତହସିଲଦାର, ବିଡିଓ ଓ ସତ୍ୟବାଦୀଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଂଚି ଯାଂଚ କରିଥିଲେ । ପରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଶବ ବୁହା ଗାଡିରେ ମୃତ ଶରୀରକୁ ଶବ ଦାହ କରିବା ନିମନ୍ତେ ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ନିଆଯାଇଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ଶବଦାହ କରିବା ପାଇଁ କେହି ରାଜି ନହେବାରୁ ସ୍ଥାନୀୟ ସରପଂଚ ଶ୍ରୀ ପରିଡା, ସମିତି ସଭ୍ୟଙ୍କ ପ୍ରତିନିଧି ନିରଞ୍ଜନ ଜେନା ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସାଥୀରେ ଆସିଥିବା ସହଯୋଗୀ ସତ୍ୟରଞ୍ଜନ ପ୍ରଧାନ, ଦେବବ୍ରତ ପ୍ରଧାନ, ରାକେଶ ରଞ୍ଜନ ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ବବୁଲ କୋଦାମାସିଂହ ପ୍ରମୁଖ ମେଡିକାଲ ପିପି କିଟ୍‌ ପିନ୍ଧି ମହିଳାଙ୍କର ଶବଦାହ କରିଥିଲେ । ଏହି ବିପଦ ସମୟରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରପଂଚ, ସମିତି ସଭ୍ୟଙ୍କ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷଙ୍କ ସହଯୋଗୀ ତଥା ଅନ୍ୟମାନଙ୍କୁ ଅଂଚଳରେ ବେଶ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

4 + 8 =

error: Content is protected !!