jayashree

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ନେବାରେ ସହଯୋଗ କଲେ ବିଧାୟକ ଲକ୍ଷ୍ମଣ ବାଗ

  • ଗୁରୁତର ଅସୁସ୍ଥ ହୋଇ ସୁରଟରୁ ଫେରୁଥିବା ବେଳେ ଟ୍ରେନରେ ମୃତ୍ୟୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଛି । ସେ ଦାଦନ ଖଟିବା ପାଇଁ ସୁରଟ ଯାଇ ଏକ କପଡ଼ା କାରଖାନାରେ କାମ କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଉଦନା–ବ୍ରହ୍ମପୁର ଏକ୍ସପ୍ରେସ୍ ଟ୍ରେନ୍‌ରେ ନିଜ ଘରକୁ ଫେରୁଥିଲେ । ଯାତ୍ରା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ରେଳବିଭାଗର ଜରୁରୀକାଳୀନ ସେବା ସହ ଯୋଗାଯୋଗ କରାଯାଇଥିଲା । ଟ୍ରେନ୍‌ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ଡାକ୍ତର ଆସି ତାଙ୍କୁ ପରୀକ୍ଷା କରିଥିଲେ ଏବଂ ମୃତ ଘୋଷଣା କରିଥିଲେ । ଏହାପରେ ଜିଆରପି ପୁଲିସ ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆର୍ଥିକ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ପରିବାର ଲୋକେ ମୃତଦେହକୁ ନିଜ ଗ୍ରାମକୁ ନେବାରେ ଅସମର୍ଥ ହୋଇଥିଲେ । ଏହି ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ହସ୍ତକ୍ଷେପ କରିଥିଲେ । ସେ ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହୋଇ ମୃତଦେହକୁ ନିଜ ଗ୍ରାମକୁ ନେବା ପାଇଁ ଆବଶ୍ୟକ ସହଯୋଗର ବ୍ୟବସ୍ଥା କରିଥିଲେ । ବିଧାୟକଙ୍କ ହସ୍ତକ୍ଷେପ ଫଳରେ ଶୋକସନ୍ତପ୍ତ ପରିବାରକୁ ମୃତଦେହ ନେବାରେ ସହାୟତା ମିଳିଥିଲା ।

Leave A Reply

Your email address will not be published.