jayashree

ପଦ୍ମପୁରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପୋଲିସ ଓ ଓକିଲ ସଂଘର ଆଲୋଚନା : ବସ୍ ଚଳାଚଳ ନେଇ ବଡ଼ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାକୁ ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଅଷ୍ଟମ ଶ୍ରେଣୀର ଛାତ୍ର କମଳ ତାରିଆଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏହି ପରିପ୍ରେକ୍ଷୀରେ ପଦ୍ମପୁର ଓକିଲ ସଂଘର ସଦସ୍ୟମାନେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଏକ ଜରୁରୀ ବୈଠକ କରିଛନ୍ତି । ଆଲୋଚନା ପରେ ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ବସ୍ ରହଣିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବସ୍ ସ୍ଥାନୀୟ ବସଷ୍ଟାଣ୍ଡ ପରିବର୍ତ୍ତେ ଦୋରା ପେଟ୍ରୋଲ ପମ୍ପ ନିକଟସ୍ଥ ଅସ୍ଥାୟୀ ଷ୍ଟାଣ୍ଡରେ ରହିବ । ସେହିପରି ଲକ୍ଷ୍ମୀ ବସ୍‌ଗୁଡ଼ିକ ବ୍ଲକ ପରିସରରେ ନରହି ଆର୍‌ଏମ୍‌ସି ଗୋରୁ ବଜାର ପ୍ରାଙ୍ଗଣରେ ରହିବ । ଏଥିସହ କୌଣସି ବସ୍‌କୁ ଭେଉଁରିଆ ଛକରେ ରଖାଯିବ ନାହିଁ ବୋଲି ସହମତି ହୋଇଛି । ଅନ୍ୟପଟେ, ଚଳିତ ଦୁର୍ଗାପୂଜା ସମୟରେ ପୂର୍ବବର୍ଷ ତୁଳନାରେ ଜନସମାଗମ ବଢ଼ିଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଓ ଅଭିଯାନ ହାତକୁ ନେବାକୁ ଓକିଲ ସଂଘ ପକ୍ଷରୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ଏହି ଆଲୋଚନାରେ ଓକିଲ ସଂଘର ବରିଷ୍ଠ ସଦସ୍ୟ ଗୌନ୍ତିଆ କୁମାର ସାହୁ, ସମ୍ପାଦକ ହରିଶଙ୍କର ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପୋଲିସ ପକ୍ଷରୁ ଏସ୍‌ଡିପିଓ ପାଣ୍ଡବ ଶବର ଓ ଆଇଆଇସି କେ. ସାମରିଆ ଯୋଗ ଦେଇଥିବା ବେଳେ ବେସରକାରୀ ବସ୍ ମାଲିକ ସଂଘ ଓ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ସହରରେ ଟ୍ରାଫିକ୍ ଶୃଙ୍ଖଳା ଫେରାଇ ଆଣିବା ସହ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ କେତେଦୂର କାର୍ଯ୍ୟକାରୀ କରାଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.