
ବଲାଙ୍ଗିର, (କେପିଏନ୍ଏସ୍) : ସାପ କାମୁଡ଼ାକୁ ସାମାନ୍ୟ ଭାବିବା ହେଲା କାଳ । ସର୍ପାଘାତରେ ଚାଲିଗଲା ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସଇଁତଲା ଅଞ୍ଚଳର ଝିଙ୍କିଡୁଙ୍ଗୁରି ଗ୍ରାମରେ ଘଟିଛି । ମୃତ ନାବାଳିକା ଜଣକ ହେଲେ ଅନିତା ବାଗ । ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଅନିତା ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା । ଦଂଶନକୁ ସେ ସାମାନ୍ୟ ଭାବିଥିବା ଜଣାପଡ଼ିଛି । ତେବେ ସାପଟି କମନ୍ କ୍ରେଟ୍ ବା ଚିତି ସାପ ପ୍ରଜାତିର ବୋଲି ଚିହ୍ନଟ ହୋଇଛି । ଏହି ଘଟଣାରେ ନାବାଳିକାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପୁଲିସ ମୃତଦେହର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ସାପ କାମୁଡ଼ାକୁ ହାଲୁକା ଭାବେ ନେବାର ଭୟାବହତାକୁ ପୁଣି ଥରେ ମନେ ପକାଇ ଦେଇଛି । ସାପ କାମୁଡ଼ିଲେ ଦଂଶନ ସାମାନ୍ୟ ଲାଗୁଥିଲେ ମଧ୍ୟ ବିଷକ୍ରିୟା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ଏଭଳି ସ୍ଥିତିରେ ଝଡ଼ାଫୁଙ୍କା କିମ୍ବା ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ ।