om academy

ସୁବର୍ଣ୍ଣପୁରରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପଞ୍ଚାୟତିରାଜ ପାନୀୟଜଳ ଯୋଗାଣ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୮.୩୦ ମି ସମୟରେ ରାମେଶ୍ଵର ସ୍ଥିତ ଷ୍ଟାଡିୟମ୍‌ରେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ । ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ସକାଳ ୬.୩୦ମି ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସହରସ୍ଥିତ ବିଭିନ୍ନ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଷ୍ଟାଡିୟମ୍‌ଠାରେ ପରେଡ କମାଣ୍ଡର ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲଙ୍କ ତତ୍ୱାବଧାନରେ ସମବେତ ପରେଡ୍‌ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ୩୭ଟି ଦଳର ଅଭିବାଦନ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଅମାତ ଇତିହାସ ଐତିହ୍ୟରେ ପରିପୂର୍ଣ୍ଣ ସୁବର୍ଣ୍ଣପୁରର ଗୌରବ ଗାଥା ମନେପକାଇ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗର ଉନ୍ନୟନ ଓ କାର୍ଯ୍ୟକାରିତା ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପଡିଆରେ ପ୍ରଦର୍ଶିତ ହୋଇଥିଲା । ସେଣ୍ଟ ଜେଭିଅର, ବିଶ୍ୱ ଭାରତୀ ଚିନ୍ତନ ଶିକ୍ଷା ନିକେତନ, ସାଇକୃପା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଚିତ୍ତକେର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜନରାଜ୍ୟ ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷ, ସଂସ୍ଥା ଏବଂ କର୍ମଚାରୀମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ୟାରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନ୍‌ସିସି, ସ୍କାଉଟ ଗାଇଡ଼, ରେଡ଼କ୍ରସ, ସିଭିଲିଆନ ପରେଡ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ୮ଟି ପରେଡ ଦଳଙ୍କୁ ବିଭିନ୍ନ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । ଏହାପରେ ମନ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାର ରୋଗୀମାନଙ୍କୁ ଏବଂ ଶିଶୁଗୃହର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ ଓ ପରେପରେ ଝିଙ୍କି ଟିକିରା ଠାରେ ଜିଲ୍ଲା ବଣ ବିଭାଗ ତରଫରୁ ନବନିର୍ମିତ ପଞ୍ଚବଟୀ ଉଦ୍ୟାନ ପ୍ରମୋଦ ଉଦ୍ୟାନକୁ ଉଦ୍‌ଘାଟନ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଉଦ୍ୟାନ ଲୋକାର୍ପଣ ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ତଥା ବନ ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଦିବସ ପାଳନ ଅବସରରେ ନୂତନ ଟାଉନହଲରେ ଏକ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏଥିରେ ଗଣତନ୍ତ୍ର ଦିବସ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେଣ୍ଟ ଜାଭିଅର ସ୍କୁଲ, ସେଣ୍ଟ ଆନି କନଭେଣ୍ଟ ସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ, ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଟ୍ରେଣ୍ଡି ଏକାଡେମିର ଛାତ୍ରଛାତ୍ରୀମାନେ ଏବଂ ଶିଶୁ କଳାକାରମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ ଏହାକୁ ପରିଚାଳନା କରିଥିବା ବେଳେ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ ।

Leave A Reply

Your email address will not be published.