om academy

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସ ଅବସରରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପୃଥିବୀର ବହୁ ଦେଶର ସମ୍ବିଧାନ ଠାରୁ ଆମ ଦେଶର ସମ୍ବିଧାନ ଅନେକ ଉର୍ଦ୍ଧ୍ବରେ ରହିଛି । ଏଥିରେ ଥିବା ମୌଳିକ ଅଧିକାର ଗୁଡିକ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆମକୁ ସ୍ବାଧୀନତା ଏବଂ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ୟ୍ୟାଦା ସହଜରେ ମିଳି ନାହିଁ । ଏଥିପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବିସର୍ଜନ କରିବାକୁ ପଡିଛି । ଆଜିର ଏହି ପବିତ୍ର ଜାତୀୟ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଶହୀଦ୍ ଲକ୍ଷ୍ଣ ନାୟକ, ବୀର ସୁରେନ୍ଦ୍ର ସାଏ, ବାଘାଜତୀନ୍, ବିଜୁପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମ୍ବିଧାନ ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡଃ ଭୀମାରାଓ ରାମଜୀ ଆମ୍ବେଦକରଙ୍କ ସମେତ ଡଃ. ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଏନ୍. ଗୋପାଳ ସ୍ବାମୀ, କେ.ଏମ୍. ମୁନ୍ସି, ମୌଲାନା ଆବୁଲ କାଲାମ୍ ଆଜାଦ୍, ବିଶ୍ବନାଥ ଦାଶ ଆଦି ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ଘୁମୁସର ବିଦ୍ରାହ, ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ବନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି । ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ବୀରତ୍ବ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଗଞ୍ଜାମ ମାଟିର ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ବାଞ୍ଛାନିଧି ପଟ୍ଟନାୟକ, ହରିହର ପଟ୍ଟନାୟକ, ଈଶ୍ବରଚନ୍ଦ୍ର ସାହୁ, କୁଞ୍ଜଲତା ଦେବୀ, ଘନଶ୍ୟାମ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ରାଜା ରାମ ଚନ୍ଦ୍ର ମର୍ଦ୍ଦରାଜ, ନନ୍ଦ କିଶୋର ମିଶ୍ର, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀଙ୍କୁ ଏହି ଅବସରରେ ଭକ୍ତିପୂତ ପ୍ରଣତି ଜଣାଇଥିଲେ । ଗଞ୍ଜାମର ମାଟି ହେଉଛି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ୟ୍ୟ ବଳଦେବ ରଥ ଓ କବି ଗୋପାଳ କୃଷ୍ଣ ପଟ୍ଟନାୟକ, ବାସୁଦେବ ରଥ ଶର୍ମାଙ୍କ ପରି ସାରସ୍ବତ ସାଧକଙ୍କୁ ଜନ୍ମ ଦେଇଛି ଏ ମାଟି । ଯେଉଁ ମାନେ ଓଡିଶା ସାହିତ୍ୟ ଓ ଭାଷାକୁ ଋଦ୍ଧିମନ୍ତ କରିଛନ୍ତି, ବୋଲି ମାନ୍ୟବର ମୁଖ୍ୟଅତିଥି ତାତ୍ତ୍ଵିକ ଆଲୋଚନା ସ୍ୱରୂପ ସମ୍ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଏବଂ କେତେକ ଆଦର୍ଶତା ଭିତ୍ତିକ ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ୩୩ ଟି ଦଳ ଅଂଶଗ୍ରହଣ କରିଥଲେ । ଶାରୀରିକ କ୍ରୀଡା ପ୍ରଦର୍ଶନରେ ୩ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ୬ ଟି ବିଭାଗ ତରଫରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.