ଅମଠି ଗ୍ରାମ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ : ବରଗଡ଼ ଜିଲ୍ଲା ଚମ୍ପିୟାନ ମହିଳା କ୍ରିକେଟ ଦଳକୁ ସମ୍ବର୍ଦ୍ଧିତ କଲେ ପଦ୍ମପୁର ବିଧାୟିକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅମଠି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶୁଶୀଳ କୁମାର ମରେଇ, ପଞ୍ଚାୟତ ସମିତି ସଭ୍ୟ ହେମାନନ୍ଦ ଚୌଧୁରୀ, ସରପଞ୍ଚ ଲକ୍ଷେ ସିଂ ଥପା, ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ, ଅମଠି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ପ୍ରଧାନ ତଥା ଝାରବନ୍ଧ ବ୍ଲକ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅମଠି ଗ୍ରାମ ପଞ୍ଚାୟତ ସ୍ତରରୁ ବିଭିନ୍ନ ବିଦ୍ୟାଳୟର ଝିଅମାନଙ୍କୁ ନେଇ ଗଠିତ ମହିଳା କ୍ରିକେଟ ଦଳ ଅମଠି ଲେଡି ଲାୟନ୍ସ ପ୍ରଥମେ ଉପଖଣ୍ଡ ସ୍ତରୀୟ ଚମ୍ପିୟାନ ହେବା ପରେ ଜିଲ୍ଲା ସ୍ତରରେ ହୋଇଥିବା ପ୍ରତିଯୋଗିତାରେ ମଧ୍ୟ ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଥିଲେ । ତାଙ୍କର ଏହି ସଫଳତା ପଛରେ ଥିବା ପ୍ରଚ୍ଛଦ୍ଦ ପଟ ନାୟକ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁଙ୍କ ପ୍ରୟାସକୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂ ଥପା ତଥା ବିଧାୟିକା ବର୍ଷା ସିଂ ବରିହା ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀମତୀ ବରିହା ତାଙ୍କର ଅଭିଭାଷଣରେ କହିଥିଲେ ଯେ ଅମଠି ଗ୍ରାମ ପଞ୍ଚାୟତର ଝିଅମାନେ ଆଜି ଜିଲ୍ଲା ସ୍ତରରେ ଚମ୍ପିୟାନ ହୋଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଏହା ମୁଖ୍ୟମନ୍ତ୍ରୀଙ୍କ ନୂଆ-ଓ ଯୋଜନା ଦ୍ୱାରା ସମ୍ଭବ ହୋଇପାରିଛି ଯାହାଦ୍ୱାରା ଆଜି ଝିଅମାନେ ସୁଯୋଗ ପାଇ ଏତେଦୂର ପର୍ଯ୍ୟନ୍ତ ଆଗକୁ ବଢ଼ିପାରୁଛନ୍ତି । ଏହା ପରେ ବିଧାୟିକା ଅମଠି ଲେଡି ଲାୟନ୍ସ କ୍ରିକେଟ ଦଳର ଅଧିନାୟିକା ଗାୟତ୍ରୀ ବନଛୋର, ଉପ-ଅଧିନାୟିକା ସସ୍ମିତା ସୋନି ଏବଂ ଅନ୍ୟାନ୍ୟ ଖେଳାଳୀମାନଙ୍କୁ ଉପଢୌକନ ତଥା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରୀମାନେ ବିଧାୟିକାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ଛାତ୍ରୀମାନଙ୍କ ପାଇଁ ହକି ଏବଂ କ୍ରିକେଟ ଖେଳ ସାମଗ୍ରୀ ପ୍ରଦାନ ଏବଂ ଏକ ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି । ଅମଠି ଗ୍ରାମ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଲୋଚନ ନାଗ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 11 =