pakka

ଅଶୋକ ନନ୍ଦ ହେଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି : ଜାତୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଦେଲେ କୃତଜ୍ଞତା

bbehera
  • ତୃଣମୂଳରୁ କଂଗ୍ରେସ ଦଳକୁ ଲୋକାଭିମୁଖି କରାଯିବ : ଅଶୋକ ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁରୁଖା କଂଗ୍ରେସ ନେତା ଅଶୋକ ନନ୍ଦଙ୍କୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଚୟନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଂଗ୍ରେସ ଦଳରେ ଦିର୍ଘ ୫୦ ବର୍ଷର ଅଭିଜ୍ଞତା ଥିବା ଅଶୋକ ନନ୍ଦଙ୍କୁ ସଭାପତି କରାଗଲା ବୋଲି ରାଜ୍ୟ ସଭାପତିଙ୍କ ଦ୍ୱାରା ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ନବନିୟୋଜିତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ ଛାତ୍ର ଜୀବନରୁ କଂଗ୍ରେସ ଦଳ ସହିତ ସାମିଲ ହୋଇ ସାଧାରଣ ଜନତାଙ୍କ ସେବାରେ ସେ ଆଜି ପର୍ଯ୍ୟନ୍ତ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ସଭାପତି ଚୟନ ପରେ ଜିଲ୍ଲାରେ ପ୍ରତ୍ୟେକ ବର୍ଗର କଂଗ୍ରେସ କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଶ୍ରୀ ନନ୍ଦ ଜଣେ ଲଢୁଆ ତଥା ଉଚ୍ଚକୋଟିର ବକ୍ତା ଭାବରେ କଂଗ୍ରେସ ଦଳରେ ପରିଚିତ । ସେ କେବଳ ଦଳ ଭିତରେ ନୁହନ୍ତି ସାଧାରଣ ଜନତାଙ୍କ ଭିତରେ ମଧ୍ୟ ଜଣେ ଗ୍ରହଣୀୟ ନେତା ଭାବେ ଜଣାଶୁଣା । ସଭାପତି ଘୋଷଣା ପରେ ଶ୍ରୀ ନନ୍ଦ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । ନିଜ ପ୍ରତିକ୍ରିୟାରେ ଶ୍ରୀ ନନ୍ଦ କହିଛନ୍ତି ମୋ ଦିର୍ଘ ବର୍ଷର କଂଗ୍ରେସ ଦଳର କାମ କରିବାର ଅଭିଜ୍ଞତାକୁ ପାଥେୟ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାର ମୋର ଲକ୍ଷ୍ୟ ହେବ । ଆଗାମୀ ଦିନରେ ଦଳ ଏବଂ ଏହାର କର୍ମକର୍ତ୍ତାମାନେ ଯେପରି ସମାଜର ତଳସ୍ତର ଲୋକମାନଙ୍କର ସମସ୍ୟା ସହିତ ରହି ସେ ସବୁ ସମାଧାନ ଦିଗରେ ପଦକ୍ଷେପ ନେବେ ସେ ଦିଗରେ ସେ କାମ କରିବାକୁ ପ୍ରାଥମିକତା ଦେବେ । ଜାତୀୟ ସଭାପତି, ରାଜ୍ୟ ସଭାପତି ଏବଂ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଆଦର୍ଶରେ ଦଳ ଆଗାମୀ ନିର୍ବାଚନରେ ଯେପରି ଲୋକମାନଙ୍କ ଦ୍ୱାରା ଆହୁରି ଗ୍ରହଣୀୟ ହେବ ସେ ଦିଗରେ ସେ ନିରନ୍ତର କାମ କରିବେ । ତାହା ସହ ଆଗାମୀ ନିର୍ବାଚନରେ ଦଳ ଯେପରି ସାରା ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ସେ ଉପରେ ତାଙ୍କର ଫୋକସ୍‌ ରହିବ ବୋଲି ସଭାପତି ଶ୍ରୀ ନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

3 × one =