ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ

ବୀରମହାରାଜପୁର, (ପି.କେ.ସାହୁ) : ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ । ଆଜି ସକାଳୁ ଅମରପାଲି ଗ୍ରାମରେ ଗୁଲାପି ବେହେରା ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ଗ୍ରାମର ଅଟନ୍ତି । ପ୍ରାୟ ୪ ମାସ ପୂର୍ବରୁ ଦେହ ଅସୁସ୍ଥ ହେତୁ ଅମରପାଲି ସ୍ଥିତ ତାଙ୍କ ଭଉଣୀ ଜ୍ବାଇଁ ମହିମତ ଭେଷର ଘରେ ରହି ଚିକିତ୍ସିତ ହେଉଥିଲେ । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ । ତେବେ ଆଜି ସକାଳୁ ମୃତ୍ୟୁ ପରେ ତାଙ୍କ କେଶାପାଲି ଗ୍ରାମର ଘର ଲୋକଙ୍କୁ ଖବର ଦିଆଯାଇଥିଲା । ତାଙ୍କ ଘର ଲୋକେ ଆସିଥିଲେ ମଧ୍ୟ ଶବ ନେବା ପାଇଁ ଗାଡିମଟର ଯୋଗାଡ କରି ପାରି ନ ଥିଲେ । ଏପରି କି ମହାପ୍ରୟାଣ ଗାଡ଼ିକୁ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା । ପରିବାରର ସମସ୍ତେ କୁଲି ମଜୁରୀ କରି ଚଳୁଥିବାରୁ ଶବ ନେବା ପାଇଁ ଗାଡ଼ି କରିପାରି ନ ଥିଲେ । ତେବେ ମୃତଦେହକୁ ଏକ ବାଇକରେ ଦୁଇ ଜଣ ଯୁବକ ତାଙ୍କ ଘର କେଶାପାଲିକୁ ନେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

one × 4 =