ଆର୍.ଟି.ଓ. ଅଫିସ୍‌ରେ କାର୍ଯ୍ୟରତ ରାଜ୍ୟର ସମସ୍ତ ଡାଟାଏଣ୍ଟ୍ରି ଅପରେଟରଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଆର୍.ଟି.ଓ କାର୍ଯ୍ୟାଳୟରେ ଏବଂ ଏସ୍‌ଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୩୫୦ ଜଣ ଡାଟା ଏଣ୍ଟ୍ରି ଅପରେଟର ଦୀର୍ଘ ୧୫ ବର୍ଷ ଧରି ସ୍ମାର୍ଟଚିପ୍‌ କମ୍ପାନୀ ଜରିଆରେ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ସ୍ମାର୍ଟଚିପ୍‌ କମ୍ପାନୀର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସୂଚନା ଅନୁସାରେ ଦୀର୍ଘ ୧୫ ବର୍ଷ ତଳେ ରାଜ୍ୟର ଆର୍.ଟି.ଓ କାର୍ଯ୍ୟାଳୟମାନଙ୍କୁ କମ୍ପ୍ୟୁଟରିକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ଫଳରେ ସ୍ମାର୍ଟଚିପ୍‌ କମ୍ପାନୀ ଜରିଆରେ ରାଜ୍ୟର ଉଚ୍ଚଶିକ୍ଷିତ ଓ କମ୍ପ୍ୟୁଟର ବୈଷୟିକ ଶିକ୍ଷାପ୍ରାପ୍ତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳିଥିଲା । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସହ ସରକାରୀ ରାଜସ୍ଵକୁ ବୃଦ୍ଧି କରିବାରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିଲେ । ବର୍ତ୍ତମାନ ସ୍ମାର୍ଟଚିପ୍‌ ଓ ରାଜ୍ୟ ସରକାରଙ୍କ ସହ ହୋଇଥିବା ରାଜିନାମାର ସମୟ ଅବଧି ଶେଷ ହେବାକୁ ଯାଉଥିବା ବେଳେ ୧୫ ବର୍ଷ ଧରି କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନଙ୍କ ଭବିଷ୍ୟତ ନିଯୁକ୍ତିକୁ ନେଇ ସନ୍ଦେହ ଦେଖାଦେଇଛି । ସରକାର ଏହି ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଘୋଷଣା ନକରିବାରୁ ବାଧ୍ୟ ହୋଇ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ କେସ୍ ନଂ ୨୭୩୬୭/୨୦୨୦କୁ ବିଚାର କରି ସରକାରଙ୍କୁ ତା-୨୧ ୧୨-୨୦୨୧ରେ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଣି କରି ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ । କିନ୍ତୁ ସରକାର ନ୍ୟାୟାଳୟର ଆଦେଶ ପୂର୍ବରୁ ତା ୭/୧୨/୨୦୨୧ରେ ୧୬୧ ଜଣ ଅପରେଟରଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଗଲେ ପ୍ରାୟ ୧୯୦ ଜଣ ଅପରେଟର ଜିବୀକା ହରାଇବେ । ତେଣୁ କୋର୍ଟର ନିର୍ଦ୍ଦେଶକୁ ସରକାର କାର୍ଯ୍ୟକାରି କରି ଦୀର୍ଘ ଦିନ ଧରି ସରକାରୀ କାର୍ଯ୍ୟରେ ଜଡିତ ରହିଥିବା ଏହି କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଯୋଗାଇ ଦେବାକୁ ଓଡିଶା ଇ- ଗଭର୍ଣ୍ଣାନ୍‌ସ ଟେକ୍ନିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି ହେମନ୍ତ ପଣ୍ଡା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଡି.ଏଲ୍, ଏଲ୍.ଏଲ୍, ଯାନବାହାନ ରେଜିଷ୍ଟ୍ରେସନ ଇତ୍ୟାଦି ପାଇଁ ଜନସାଧାରଣଙ୍କଠାରୁ ଆଦାୟ କରାଯାଉଥିବା ସର୍ଭିସ ଚାର୍ଜରେ ଏକ ଘରୋଇ କମ୍ପାନୀ ରାଜ୍ୟବ୍ୟାପୀ ୩୫୦ ଜଣ କର୍ମଚାରୀଙ୍କୁ ୧୫ ବର୍ଷ ଧରି ନିଯୁକ୍ତି ଦେଇଥିବା ବେଳେ ସରକାର ସେହି କର୍ମଚାରୀମାନଙ୍କୁ ଥଇଥାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସଭାପତି ପଣ୍ଡା କହିଛନ୍ତି ।

Leave A Reply

Your email address will not be published.

eight − 1 =