ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆର୍ପିଏଫ୍ ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର । କମାଣ୍ଡେଂଟ୍ ପି.କେ. ସାହୁଙ୍କ ସହ ଅନ୍ୟ ଭକ୍ତମାନେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରାଇଛନ୍ତି । ଭକ୍ତର ଭିଡ଼ ଭିତରକୁ ଧସେଇ ଆସିବେ ଜଗତର ନାଥ ଜଗନ୍ନାଥ । ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆର୍ପିଏଫ୍ ମୁଖ୍ୟାଳୟରୁ ମହାପ୍ରଭୁଙ୍କୁ ନେଇ ରଥ ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ପହଂଚିବ । ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ତିନି ଠାକୁରଙ୍କ ମାଉସୀ ଘର ସ୍ଥାପନ ହୋଇଥିବା ବେଳେ ସେଠାରେ ମହାବାହୁ ତାଙ୍କ ନବ ଦିନାତ୍ମକ ଲୀଳା ପ୍ରଦର୍ଶନ କରିବେ । ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶାନ୍ତିପଡ଼ା ଦୁର୍ଗାମଣ୍ଡପ ଉତ୍ସବ ମୁଖର ହୋଇ ଉଠିବ । ସିଆର୍ପିଏଫ୍ କମାଣ୍ଡେଂଟ୍ ପି.କେ. ସାହୁ ରଥଯାତ୍ରା ଅବସରରେ ବଲାଙ୍ଗିରବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ବାହୁଡ଼ା ଯାତ୍ରା ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସିଆର୍ପିଏଫ୍ ମୁଖ୍ୟାଳୟରେ ପ୍ରସାଦ ସେବନ ପାଇଁ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ।
