ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା କେନ୍ଦ୍ର କ୍ୟାବିନେଟ୍

  • ଗତ ପାଞ୍ଚ ଶହ ବର୍ଷ ଧରି ଭାରତୀୟ ସଭ୍ୟତା ଦେଖୁଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି
  • ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟ ଦ୍ୱାରା ଦେଶର ମନୋବଳ ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛନ୍ତି
  • ଆଜିଠାରୁ ହଜାରେ ବର୍ଷ ପରେ ବି ଲୋକମାନେ ଏହି ତାରିଖ ଓ ଏହି ମୁହୂର୍ତ୍ତକୁ ମନେ ରଖିବେ ଓ ଆଲୋଚନା କରିବେ

ନୂଆଦିଲ୍ଲୀ, (ପିଆଇବି) : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୃହୀତ ସଂକଳ୍ପ ପ୍ରସ୍ତାବରେ କୁହାଯାଇଛି ଯେ, ଗତ ପାଞ୍ଚ ଶତାବ୍ଦୀ ଧରି ଭାରତୀୟ ସଭ୍ୟତା ଯେଉଁ ସ୍ୱପ୍ନ ଦେଖୁଥିଲା ତାକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି । ମନ୍ତ୍ରିମଣ୍ଡଳ ପକ୍ଷରୁ ଆହୁରି କୁହାଯାଇଛି ଯେ ଆଜିର କ୍ୟାବିନେଟ୍ ବୈଠକ ଐତିହାସିକ । ଅନେକ ଥର ଐତିହାସିକ ଘଟଣା ଘଟିଛି, କିନ୍ତୁ ଏହି କ୍ୟାବିନେଟ୍ ବ୍ୟବସ୍ଥା ଗଠନ ହେବା ପରଠାରୁ ଏବଂ ଯଦି ଆମେ ବ୍ରିଟିଶ ଶାସନ ସମୟରେ ଭାଇସରୟଙ୍କ କାର୍ଯ୍ୟନିର୍ବାହୀ ପରିଷଦର ଅବଧିକୁ ଅନ୍ତର୍ଭୁକ୍ତ କରୁ, ତେବେ ଏଭଳି ସୁଯୋଗ କେବେ ଆସିନଥିଲା । ୨୦୨୪ ଜାନୁଆରୀ ୨୨ ତାରିଖରେ ଆପଣ ଯେଉଁ କାମ କରିଛନ୍ତି ତାହା ଇତିହାସରେ ଅନନ୍ୟ । ଏହି ସୁଯୋଗ ଶହ ଶହ ବର୍ଷ ପରେ ଆସିଥିବାରୁ ଏହା ଅନନ୍ୟ । କ୍ୟାବିନେଟ୍‌ ପ୍ରସ୍ତାବରେ କୁହାଯାଇଛି, ୧୯୪୭ରେ ଦେଶର ଶରୀର ସ୍ୱାଧୀନ ହୋଇଥିଲା ଏବଂ ୨୨ ଜାନୁଆରୀ ୨୦୨୪ରେ ଏହାର ଆତ୍ମାକୁ ପ୍ରାଣପ୍ରତିଷ୍ଠା କରାଯାଇଛି । ଏହା ସମସ୍ତଙ୍କୁ ଆଧ୍ୟାତ୍ମିକ ଆନନ୍ଦର ଅନୁଭବ ଦେଇଛି । ଜାନୁଆରୀ ୨୨ରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ରାମ ପ୍ରଭାବ ଏବଂ ପ୍ରବାହ ଅଟନ୍ତି । କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କହିପାରିବା ଯେ ଭାଗ୍ୟ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କ ମୂର୍ତ୍ତିକୁ ସମ୍ମାନ ଦେବା ପାଇଁ ଚୟନ କରିଥିଲା । ବାସ୍ତବରେ ଭଗବାନ ଶ୍ରୀରାମ ହେଉଛନ୍ତି ଭାରତର ଭାଗ୍ୟ ଏବଂ ଭାଗ୍ୟ ସହିତ ପ୍ରକୃତ ସାକ୍ଷାତ ୨୨ ଜାନୁଆରୀ ୨୦୨୪ରେ ହୋଇଛି । ବାସ୍ତବରେ କ୍ୟାବିନେଟର ସଦସ୍ୟମାନଙ୍କ ପାଇଁ ଏହି ସୁଯୋଗ ଜୀବନରେ ଥରେ ସୁଯୋଗ ନୁହେଁ ବରଂ ଏହା ଅନେକ ଜୀବନରେ ଥରେ ସୁଯୋଗ ବୋଲି କୁହାଯାଇପାରେ । ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କ୍ୟାବିନେଟରେ ଏହି ଅବସରରେ ଉପସ୍ଥିତ ରହି ଆମେ ସମସ୍ତେ ଭାଗ୍ୟବାନ ବୋଲି ପ୍ରସ୍ତାବରେ କ୍ୟାବିନେଟ୍‌ ସଦସ୍ୟମାନେ କହିଛନ୍ତି । ସେମାନେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜର ଏହି କାର୍ଯ୍ୟ ଦ୍ୱାରା ଦେଶର ମନୋବଳ ବଢ଼ାଇଛନ୍ତି । ଏ ଦେଶର ସାଂସ୍କୃତିକ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛନ୍ତି । ପ୍ରାଣ-ପ୍ରତିଷ୍ଠା ସମୟରେ ସାରା ଦେଶରେ ଯେଭଳି ଭାବପ୍ରବଣତା ଦେଖିବାକୁ ମିଳିଥିଲା, ଦେଶରେ ଏଭଳି ଭାବପ୍ରବଣତାର ଲହର ପୂର୍ବରୁ କେବେ ଦେଖାଯାଇନଥିଲା । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଜନ ଆନ୍ଦୋଳନ ସମୟରେ ଲୋକଙ୍କ ମଧ୍ୟରେ ଏକତା ଦେଖାଯାଇଥିଲା, କିନ୍ତୁ ସେହି ଏକତା ଏକଛତ୍ରବାଦ ବିରୋଧରେ ଏକ ପ୍ରତିରୋଧ ଆନ୍ଦୋଳନ ଭାବରେ ଉଭା ହୋଇଥିଲା । ଭଗବାନ ରାମଙ୍କ ପାଇଁ ଆମେ ଯେଉଁ ଜନ ଆନ୍ଦୋଳନ ଦେଖିଥିଲୁ ତାହା ଏକ ନୂତନ ଯୁଗର ଆରମ୍ଭ, ଏକ ନୂତନ କାହାଣୀ ଉପସ୍ଥାପନ କରୁଛି ବୋଲି ମନ୍ତ୍ରିମଣ୍ଡଳ ସଦସ୍ୟମାନେ ପ୍ରସ୍ତାବରେ କହିଛନ୍ତି । ସଂକଳ୍ପ ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ, ଭଗବାନଙ୍କ ଆଶୀର୍ବାଦ ରହିଥିଲେ ହିଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏତେ ବଡ଼ ରୀତିନୀତି ସମ୍ପାଦନ କରାଯାଇପାରିବ । ଗୋସ୍ୱାମୀ ତୁଳସୀ ଦାସ ଯଥାର୍ଥରେ ଲେଖିଛନ୍ତି, ଶ୍ରୀରାମଙ୍କ ଆଶୀର୍ବାଦ ପାଇଥିବା ବ୍ୟକ୍ତି ଅନ୍ୟ ସମସ୍ତଙ୍କର ଆଶୀର୍ବାଦ ପାଇପାରିବ । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସ୍ୱାଧୀନ ଭାରତର ଏକମାତ୍ର ଆନ୍ଦୋଳନ ଥିଲା, ଯେଉଁଥିରେ ସମଗ୍ର ଦେଶର ଲୋକମାନେ ଏକାଠି ହୋଇଥିଲେ । ଯେଉଁ ୧୧ ଦିନର ବ୍ରତରେ ପ୍ରଧାନମନ୍ତ୍ରୀ ଭାରତରେ ଭଗବାନ ରାମଙ୍କ ସହ ଜଡିତ ପବିତ୍ର ସ୍ଥାନକୁ ଯାଇ ତପସ୍ୟା ସହିତ ପୂଜାର୍ଚ୍ଚନା କରିଥିଲେ, ତାହା ଦ୍ୱାରା ସେ ସମଗ୍ର ଦେଶକୁ ନୂତନ ଶକ୍ତି ପ୍ରଦାନ କରିଥିଲେ । ଏଥିପାଇଁ କେବଳ କ୍ୟାବିନେଟ ସଦସ୍ୟ ଭାବରେ ନୁହେଁ ବରଂ ସାଧାରଣ ନାଗରିକ ଭାବରେ ମଧ୍ୟ କ୍ୟାବିନେଟ୍‌ ସହଯୋଗୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କଠାରୁ ମିଳିଥିବା ଭଲପାଇବାକୁ ଦୃଷ୍ଟିରେ ରଖି ସେ ଏବେ କେବଳ ଜଣେ ଜନନେତା ନୁହଁନ୍ତି, ବରଂ ବର୍ତ୍ତମାନ ଏକ ନୂତନ ଯୁଗର ଅଗ୍ରଣୀ ନେତା ହୋଇପାରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ ଏବଂ ଏକ ରାଷ୍ଟ୍ର ଭାବରେ ଆମେ ସମସ୍ତେ ଏକ ନୂତନ ଭବିଷ୍ୟତ ଦିଗରେ ଆପଣଙ୍କ ନେତୃତ୍ୱରେ ଆଗକୁ ବଢ଼ିବା ଉଚିତ୍ ବୋଲି କ୍ୟାବିନେଟ୍‌ ମନ୍ତ୍ରୀମାନେ ପ୍ରସ୍ତାବରେ କହିଛନ୍ତି । କ୍ୟାବିନେଟ୍‌ ସଂକଳ୍ପ ପ୍ରସ୍ତାବରେ ଆହୁରି କୁହାଯାଇଛି, ଯେହେତୁ ଏହି ମନ୍ଦିର ହଜାର ହଜାର ବର୍ଷ ଧରି ତିଷ୍ଠି ରହିବା ପାଇଁ ନିର୍ମିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, “ଜାନୁଆରୀ ୨୨ର ସୂର୍ଯ୍ୟ ଏକ ଚମତ୍କାର ଆଭା ଆଣିଛି । ଏହା କେବଳ କ୍ୟାଲେଣ୍ଡରରେ ଲିଖିତ ତାରିଖ ନୁହେଁ, ବରଂ ସମୟର ଏକ ନୂତନ ଚକ୍ରର ଉତ୍ପତ୍ତି । ଗୋଟିଏ ଦେଶ ଆଗକୁ ବଢ଼ୁଛି, ଦାସତ୍ୱ ଓ ଗୋଲାମୀ ମାନସିକତାକୁ ତ୍ୟାଗ କରୁଛି, ଦେଶ ନିଜ ଅତୀତରୁ ସାହସ ଅର୍ଜନ କରୁଛି, ଏହି ମାର୍ଗରେ ନୂଆ ଇତିହାସ ସୃଷ୍ଟି କରୁଛି । ଏଥିରେ ଆହୁରି କୁହାଯାଇଛି ଯେ, ଆଜିଠାରୁ ହଜାରେ ବର୍ଷ ପରେ ବି ଲୋକମାନେ ଏହି ତାରିଖ ଓ ଏହି ମୁହୂର୍ତ୍ତକୁ ମନେ ରଖିବେ ଓ ଆଲୋଚନା କରିବେ । ଆଉ ଏହା ରାମଙ୍କର ଏତେ ବଡ଼ ଆଶୀର୍ବାଦ ଯେ ଆମେ ଏହି ସମୟରେ ଏହାକୁ ଜୀବନ୍ତ ଅନୁଭବ କରୁଛୁ । ଆଜି ଦିନ, ଦିଗ, ଦିଗନ୍ତ ସବୁକିଛି ଦେବତ୍ୱରେ ପରିପୂର୍ଣ୍ଣ । ଏଗୁଡ଼ିକ ହେଉଛି ଅଲିଭା କାଳି ସହିତ ସମୟର ଚକ ଉପରେ ଚିହ୍ନିତ ଅବିସ୍ମରଣୀୟ ସ୍ମୃତିରେଖା । ଆଉ ସେଥିପାଇଁ ଆଜିର କ୍ୟାବିନେଟକୁ ଯଦି ଶତାବ୍ଦୀର ଏକ ବିଶେଷ କ୍ୟାବିନେଟ ମଧ୍ୟ କୁହାଯାଏ ତେବେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ କ୍ୟାବିନେଟ୍‌ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏବଂ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

one + 8 =

error: Content is protected !!