
ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ ପରୀକ୍ଷାକୁ ନେଇ ହୋଇଥିବା ପେପର ଲିକ୍ ଘଟଣାକୁ ବିରୋଧ କରି ଆମ ଦେଶର ଆଗାମୀ ଦିନରେ ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ଦୋଷୀମାନଙ୍କୁ ଦଣ୍ଡଦେବା ସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଉଚିତ ତଥା ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି । ଅପରପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦୋଷୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ନିଟ୍ ପରୀକ୍ଷାରେ ସଂସ୍କାର ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଯାହାର ପରିଣାମ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଭାବେ ଦେଖାଯିବ । ତେବେ ବର୍ତ୍ତମାନ କିଛି ଦେଶ ବିରୋଧୀ ଶକ୍ତିମାନେ ଏକତ୍ରିତ ହୋଇ ନିଜର ନିହିତ ସ୍ୱାର୍ଥ ସାଧନ ପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାର କରି ଯେଉଁ ରାଜନୀତି କରୁଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ । ଅପରପଟେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଶୋଦାଗାର କରିବା ପୂର୍ବରୁ ସମସ୍ତ ବିରୋଧୀ ଦଳ ଏବଂ ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ବନ୍ଧରେ ନିଜ ନିଜ ସମୟରେ ହୋଇଥିବା ପେପର ଲିକ୍ ଘଟଣାକୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ ବୋଲି ବିଧାୟକ ଦୁର୍ଗାଚରଣ ତନ୍ତୀ କହିବା ସହିତ ଏଭଳି ହୀନ ରାଜନୀତିକୁ ବିଧାୟକ ଶ୍ରୀ ତନ୍ତୀ ନିନ୍ଦା କରିବା ସହିତ ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ଏଭଳି ଦେଶ ବିରୋଧୀ ଶକ୍ତିମାନଙ୍କୁ ଚିହ୍ନିବା ପାଇଁ ସମସ୍ତ ଆବାଳବୃଦ୍ଧ ବନିତାଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ତନ୍ତୀ ନିବେଦନ କରିଛନ୍ତି ।