jayashree

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ମଣିଷଙ୍କ ଭିତରେ ମାନବିକତା କମି କମି ଆସୁଥିଲେ ମଧ୍ୟ ମଣିଷ ସମାଜରୁ ଏହା ସମ୍ପୂର୍ଣ ରୂପେ ଲୋପ ପାଇନାହିଁ । ପ୍ରଥମେ ପରିବାରରୁ ଶିଶୁମାନଙ୍କ ଭିତରେ ନୈତିକ ଓ ମୂଲ୍ୟବୋଧ ଶିକ୍ଷା ପାଇଁ ପିତାମାତା ଯତ୍ନବାନ ହେଲେ ଆଗାମୀ ଦିନରେ ଆମେ ଏକ ଶୃଙ୍ଖଳିତ ଓ ନୀତିନିଷ୍ଠ ସମାଜ ଗଠନ କରିପାରିବା । ବନ୍ୟଜନ୍ତୁମାନେ ନିଜ ପ୍ରଜାତିର ଜୀବମାନଙ୍କୁ ନଷ୍ଟ କରିବା ପାଇଁ କୌଣସି ଅସ୍ତ୍ର ପ୍ରସ୍ତୁତ କରୁନଥିବା ବେଳେ ମଣିଷ କାହିଁକି ମଣିଷମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ର ଓ ଅନ୍ୟାନ୍ୟ ବିନାଶକାରୀ ବିକଳ୍ପ ପ୍ରସ୍ତୁତି ସହିତ ତାହାର ନିଷ୍ଠୁର ପ୍ରୟୋଗ କରୁଛି, ତାହା ଚିନ୍ତାର ବିଷୟ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ର ‘ମାସିକ ରଚନା ସନ୍ଧ୍ୟା’ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ “ସାମ୍ପ୍ରତିକ ସମାଜରେ ମାନବୀୟ ମୂଲ୍ୟବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ଅତିଥି ବକ୍ତା ଭାବରେ ପ୍ରମେୟ କେବିକେ ସଂସ୍କରଣ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ଡାକ୍ତର ଲକ୍ଷ୍ମୀପ୍ରିୟା ସେଠୀ ଏବଂ ଯୁବ ପ୍ରତିଭା ବିନ୍ଦିଆ ବେହେରା, ପ୍ରୟାଗ ନାୟକ ଓ ଅନ୍ଵେଷା ହୋତା ଯୋଗ ଦେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସମ୍ପ୍ରତି ମଣିଷ ଯେତେ ଶିକ୍ଷିତ ହେଉଛି ତା ଭିତରେ ମାନବିକତା ସେତେ ଲୋପ ପାଉଛି । ରାସ୍ତାରେ ଦୁର୍ଘଟଣାଟିଏ ହେଲେ ଲୋକେ ରିଲ୍‌ସ୍‌ ବନାଇବାରେ ବ୍ୟସ୍ତ କିନ୍ତୁ ସାହାଯ୍ୟର ହାତଟିଏ ଆଗେଇ ଆସୁ ନାହିଁ । ପ୍ରାଚୀନ କାଳରେ ମଧ୍ୟ ମାନବିକତାର ଅବକ୍ଷୟ ହୋଇଥିଲା । କିନ୍ତୁ ପୁଣି ଆମ ଦେଶର ମହାମନିଷୀମାନେ ଏହାର ପୁନଃ ସ୍ଥାପନ କରିଥିଲେ । ଏବେ ସମୟ ଆସିଛି ସମାଜରୁ ହଜିଯାଉଥିବା ମାନବିକତାକୁ ମଣିଷ ଭିତରେ ପୁଣି ଫେରେଇ ଆଣିବା ପାଇଁ ଆମେ ଆଶାବାଦୀ ହେବା ଏବଂ ଏଥିପାଇଁ ଆମେ କାହାକୁ ଆହ୍ୱାନ ନଦେଇ ନିଜେ ଆଗେଇ ଆସିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପରେ ପରେ ଅନୁଷ୍ଠିତ ଭାବ ବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା ପାଠାଗାରରେ ଉପସ୍ଥିତ ପାଠକପାଠିକାମାନଙ୍କ ମଧ୍ୟରୁ ଜିତେନ୍ଦ୍ର ଛତ୍ରିଆ ଓ ପିଙ୍କି ବାଗ ନିଜସ୍ୱ ମତ ରଖିଥିଲେ । ‘ରଚନା’ର ସଦସ୍ୟା ଶ୍ରୀମତୀ କସ୍ତୁରୀ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଓ ଯୁବପିଢ଼ି ଉପସ୍ଥିତ ଥିଲେ ।

Leave A Reply

Your email address will not be published.