ନୀଳମଣି ମିଶ୍ରଙ୍କ ରଚିତ ଦୁଇ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ସୁଲେଖକ ନୀଳମଣି ମିଶ୍ରଙ୍କ ରଚିତ ଦୁଇ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସୁଲେଖିକା ପ୍ରିୟମ୍ବଦା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରି ‘ଆମ ବଲାଙ୍ଗୀର ଅତୀତ ଓ ବର୍ତ୍ତମାନ’ ଏବଂ ‘ଦୁର୍ଗମ ଅଞ୍ଚଳ ଓ ମୋ ଅନୁଭୂତି’ ଶୀର୍ଷକ ଦୁଇ ପୁସ୍ତକକୁ ଉନ୍ମୋଚିନ କରିଥିଲେ । ଏହି ସଭାରେ ବହି କିଭଳି ଗୋଟିଏ ବ୍ୟକ୍ତି, ଅଞ୍ଚଳ ସହ ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କର ସେତୁ ତିଆରି କରେ, ତାହା ମୁଖ୍ୟଅତିଥି ଛୁରିଆ ଆଲୋକପାତ କରିଥିଲେ । ଦୀର୍ଘ ୪୦ ବର୍ଷ ତଳେ ଅବିଭକ୍ତ କୋରାପୁଟ ଅଞ୍ଚଳରେ ଚାକିରୀ କରିବା ସମୟର ସ୍ମୃତି ଓ ଅନୁଭୂତିକୁ କିଭଳି ଲେଖକ ବାଣ୍ଟିଛନ୍ତି ତାହା କହିଥିଲେ । ଏହି ଦୁଇ ବହି ଉପରେ ସମୀକ୍ଷକ ଆଡଭୋକେଟ୍‌ ତଥା ସ୍ତମ୍ଭକାର ଜୟକୃଷ୍ଣ ସାହୁ ସମୀକ୍ଷା କରିଥିଲେ । ବଲାଙ୍ଗିରର ଅତୀତ ଘଟଣାବଳୀ ସହ ନୂଆ ପିଢ଼ିଙ୍କୁ ପରିଚୟ କରାଇବାରେ ଲେଖକ ଶ୍ରୀ ମିଶ୍ର ସଫଳ ହୋଇଛନ୍ତି ବୋଲି କହିଥିଲେ । ସଭା ପ୍ରାରମ୍ଭରେ ସଞ୍ଜୟ କୁମାର ମିଶ୍ର ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସଭାକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । କୋଭିଡ ଗାଇଡଲାଇନ୍‌କୁ ପାଳନ କରି ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ମାନି ଏହି ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ରାଧାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.