jayashree

ପ୍ରତୀକ୍ଷାର ଅନ୍ତ: ସେପ୍ଟେମ୍ବର ୨୨ରେ ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା, ଅନୁଷ୍ଠିତ ହେବ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

  • ଦିଲ୍ଲୀରୁ ଏକତା ନଗର: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ନୂଆ ଯାତ୍ରା
  • ଭାରତୀୟ ସିନେମାରେ ଅସାଧାରଣ ଅବଦାନ ପାଇଁ ଅନନ୍ତ ନାଗଙ୍କୁ ୨୦୨୪ର ଦାଦାସାହେବ ଫାଲ୍କେ ପୁରସ୍କାର
  • ଶ୍ରେଷ୍ଠ ଫିଚର ଫିଲ୍ମରୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ: ମଞ୍ଚରେ ଉତ୍କୃଷ୍ଟ ଚଳଚ୍ଚିତ୍ର ସଫଳତାର ଝଲକ

ନୂଆଦିଲ୍ଲୀ, (ପିଆଇବି) : ମଞ୍ଚ ସଜ୍ଜିତ, ଆଲୋକ ବ୍ୟବସ୍ଥା ପ୍ରସ୍ତୁତ ଏବଂ ଭାରତୀୟ ସିନେମାର ଶ୍ରେଷ୍ଠ ପ୍ରତିଭାଙ୍କ ଉପରେ ପଡ଼ିବାକୁ ଯାଉଛି ସ୍ପଟ୍ଲାଇଟ୍ । ଗୁଜୁରାଟର କେଭାଡିଆ ସ୍ଥିତ ଏକତା ନଗରରେ ୨୨ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଭାରତର ରାଷ୍ଟ୍ରପତି ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରିବେ ଏବଂ ୨୦୨୪ ମସିହା ପାଇଁ ଭାରତୀୟ ସିନେମା କ୍ଷେତ୍ରରେ ହାସଲ କରାଯାଇଥିବା ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ପ୍ରଦାନ କରିବେ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଅଟେ। ୧୯୫୪ ମସିହାରେ ପ୍ରଚଳିତ ଏହି ପୁରସ୍କାର ମାଧ୍ୟମରେ ବିଭିନ୍ନ ଭାଷା, ଅଞ୍ଚଳ ଏବଂ ଚଳଚ୍ଚିତ୍ର ନିର୍ମାଣ ଶୈଳୀକୁ ଅନ୍ତର୍ଭୁକ୍ତ କରି ଫିଚର୍ ଫିଲ୍ମ, ନନ୍-ଫିଚର୍ ଫିଲ୍ମ ଏବଂ ଚଳଚ୍ଚିତ୍ର ସମ୍ବନ୍ଧୀୟ ଲିଖିତ ବିଷୟବସ୍ତୁ କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ।
ଦାଦାସାହେବ ଫାଲକେ ପୁରସ୍କାର
ଭାରତୀୟ ଚଳଚ୍ଚିତ୍ର ଜଗତକୁ ଦେଇଥିବା ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ମସିହାର ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ୨୨ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାରତର ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ।
ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ନିଜର କର୍ମମୟ ଜୀବନକାଳ ମଧ୍ୟରେ, ଅନନ୍ତ ନାଗ ବିଭିନ୍ନ ପ୍ରକାରର କାର୍ଯ୍ୟ ମାଧ୍ୟମରେ କନ୍ନଡ଼ ତଥା ଭାରତୀୟ ଚଳଚ୍ଚିତ୍ର ଜଗତକୁ ସ୍ମରଣୀୟ ଅବଦାନ ପ୍ରଦାନ କରିଛନ୍ତି।
ଏହି ସମ୍ମାନ ତାଙ୍କର ଉଲ୍ଲେଖନୀୟ କଳାତ୍ମକ ଯାତ୍ରା ଏବଂ ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧ ଐତିହ୍ୟ ପ୍ରତି ତାଙ୍କର ଦୀର୍ଘସ୍ଥାୟୀ ଅବଦାନକୁ ସ୍ୱୀକୃତି ପ୍ରଦାନ କରେ।
ଭାରତୀୟ ସିନେମାର ଶ୍ରେଷ୍ଠତ୍ୱକୁ ପାଳନ
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଦେଶର କିଛି ଉତ୍କୃଷ୍ଟ ଚଳଚ୍ଚିତ୍ର, ଅଭିନୟ ଏବଂ ସୃଜନଶୀଳ ପ୍ରତିଭାଙ୍କୁ ଏକତ୍ରିତ କରିବ।
‘ଆର୍ଟିକଲ୍ ୩୭୦’ କୁ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ବିବେଚନା କରାଯାଇଥିବାବେଳେ, ‘ଭଙ୍ଗାର୍’ କୁ ଶ୍ରେଷ୍ଠ ନନ୍-ଫିଚର୍ ଫିଲ୍ମ ଏବଂ ‘ରାମ-ନାମୀ’ କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଭାବେ ଚୟନ କରାଯାଇଛି।
ଅଭିନୟ ବର୍ଗରେ, ‘ବ୍ରହ୍ମଯୁଗମ୍’ ପାଇଁ ମାମୁଟ୍ଟି ଏବଂ ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା (ମୁଖ୍ୟ ଭୂମିକା) ଭାବେ ଚୟନ କରାଯାଇଛି; ସେହିପରି ‘ଆର୍ଟିକଲ୍ ୩୭୦’ ପାଇଁ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ (ମୁଖ୍ୟ ଭୂମିକା) ପୁରସ୍କାର ଗ୍ରହଣ କରିବେ।
‘ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ ରଣଦୀପ ହୁଡାଙ୍କୁ ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ପାଇଁ ଚୟନ କରାଯାଇଛି।
ଭାରତୀୟ ସିନେମାର ବିବିଧତା ଓ ସମୃଦ୍ଧିକୁ ପ୍ରତିଫଳିତ କରି ଅନ୍ୟାନ୍ୟ ବର୍ଗରେ ମଧ୍ୟ ଅନେକ ଚଳଚ୍ଚିତ୍ର ଓ କଳାକାରଙ୍କୁ ସମ୍ମାନିତ କରାଯିବ।
କଲ୍କି ୨୮୯୮ ଏଡି, ଅମରନ୍, ପୁଷ୍ପା: ଦ ରୁଲ୍ ପାର୍ଟ-୦୨, ଭୁଲ୍ ଭୁଲୈୟା ୩ ଏବଂ ସ୍ତ୍ରୀ ୨ ଭଳି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ବିଭିନ୍ନ ବର୍ଗରେ ସମ୍ମାନ ଲାଭ କରିବେ।
ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ବିଚାରକ ମଣ୍ଡଳୀର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ।
ସମଗ୍ର ଭାରତ ଭ୍ରମଣ କରୁଥିବା ଏକ ଉତ୍ସବ
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭାରତୀୟ ସିନେମାର ଉତ୍ସବ ପାଳନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଜାତୀୟ ରାଜଧାନୀ ବାହାରକୁ ଏହି ପୁରସ୍କାର ସମାରୋହକୁ ନିଆଯାଇ ଗୁଜୁରାଟର ଏକତା ନଗର ଠାରେ ଏହାର ଆୟୋଜନ କରାଯାଉଛି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଗାମୀ ବର୍ଷଗୁଡ଼ିକରେ ଦେଶର ବିଭିନ୍ନ ଅଞ୍ଚଳକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବକୁ ନେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଭାରତୀୟ ସିନେମାର ଉତ୍ସବକୁ ବିଭିନ୍ନ ଅଞ୍ଚଳର ଲୋକଙ୍କ ନିକଟତର କରିବ ଏବଂ ଦେଶର ସମୃଦ୍ଧ ସାଂସ୍କୃତିକ ତଥା ଚଳଚ୍ଚିତ୍ରଗତ ବିବିଧତାକୁ ପ୍ରଦର୍ଶନ କରିବ।
ପ୍ରସ୍ତୁତି ଶେଷ ହୋଇଥିବା ଓ ମଞ୍ଚ ପ୍ରସ୍ତୁତ ଥିବା ବେଳେ, ବର୍ତ୍ତମାନ ସମସ୍ତଙ୍କ ନଜର ୨୨ ସେପ୍ଟେମ୍ବର ୨୦୨୬ ଉପରେ ରହିଛି; ଯେତେବେଳେ ଭାରତୀୟ ଚଳଚ୍ଚିତ୍ର ଜଗତର ନିର୍ମାତା, ଅଭିନେତା, ବୈଷୟିକ କର୍ମଚାରୀ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏକତା ନଗର ଠାରେ ଏକତ୍ରିତ ହେବେ।
ମଞ୍ଚ ପ୍ରସ୍ତୁତ। ତାରକାମାନେ ପ୍ରସ୍ତୁତ। ଭାରତୀୟ ସିନେମା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ।

Leave A Reply

Your email address will not be published.