
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମ୍ୟୁନିସପାଲିଟିକୁ ଏକ ନମ୍ବର କରିବା ପ୍ରୟାସ ଜାରୀ ରହିଛି ବୋଲି କର୍ତ୍ତୃପକ୍ଷ ଓ ଅତିଥୀବୃନ୍ଦ ପ୍ରତିଶୃତି ଦେଇଛନ୍ତି । ଛତ୍ରପୁର ପୌରପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ବହୁ ପୁରାତନ ମାଡ୍ରାସ୍ ପ୍ରେସିଡେନ୍ସି ସମୟର ଗଞ୍ଜାମ ଜିଲ୍ଲା ହେଡକ୍ୱାର୍ଟର ଛତ୍ରପୁର ସହର ଆଜି ମ୍ୟୁନିସପାଲିଟି ଭାବେ ମାନ୍ୟତାପ୍ରାପ୍ତ ହୋଇଥିବା ବେଳେ ଏହି ଅଞ୍ଚଳର ସୀମା ପରିସରକୁ ଆହୁରି ଉନ୍ନତି ବିଧାନରେ ସମୃଦ୍ଧିଶାଳୀ କରାଯିବ ବୋଲି କହି ଭବିଷ୍ୟତରେ ଛତ୍ରପୁର ମ୍ୟୁନିସପାଲିଟିକୁ ଏକ ନମ୍ବର କରିବା ଯୋଜନା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି ବୋଲି ମୁଖ୍ୟଅତିଥୀ ଭାବେ ଯୋଗଦେଇ ଥିବା ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଏହି ସହରର ଉନ୍ନତି ଦିଗରେ ରାଜ୍ୟ ସରକାରଙ୍କର ଭୂୟସୀ ପ୍ରଶଂସନୀୟ କାର୍ଯ୍ୟାଦେଶ ଦେଇ ଅଧିକା ଆର୍ଥିକ ପ୍ରୋତ୍ସାହନ ଯୋଗାଇଥିବା ବିଷୟରେ କହିଛନ୍ତି । ଛତ୍ରପୁର ତହସିଲଦାର ମ୍ୟାଡମ୍ ଦିବ୍ୟା ମହାନ୍ତି ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛତ୍ରପୁର ମ୍ୟୁନିସପାଲିଟିକୁ ଆଗାମୀ ଦିନରେ ଏକ ନମ୍ବର କରିବା ପ୍ରୟାସକୁ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟମ ବାଟାଲିୟନର ଦୁର୍ଗାପତି ଶାରଦା ପ୍ରସାଦ ଦାସ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଭାରପ୍ରାପ୍ତ ପୌର-ଅଧ୍ୟକ୍ଷ ଜି. ପାପାରାଓ ମଞ୍ଚାସୀନ ହୋଇ ଛତ୍ରପୁର ପୌରପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ପୌର କାର୍ଯ୍ୟ-ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରି ଏହାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିବା ସାଂଗକୁ ଛାତ୍ରଛାତ୍ରୀ, କଳା ସାହିତ୍ୟ, ସମାଜସେବୀ, କାଉନସିଲର ବୃନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଖୁବ୍ ନିଆରା ଭାବେ ଉତ୍ସାହପୂର୍ଣ୍ଣ ହୋଇଥିଲା ।