jayashree

ହାଣ୍ଡିଏ ପାଣି ପାଇଁ ରାଜପଥ ଅବରୋଧ : ଜିଲ୍ଲାପାଳଙ୍କୁ ଗୁହାରି କଲେ ଗ୍ରାମବାସୀ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ପାଣି ପାଇଁ ଦୀର୍ଘଦିନର ଯନ୍ତ୍ରଣା । ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ମେଗା ପାନୀୟଜଳ ପ୍ରକଳ୍ପ ନିକଟରେ ଥାଇ ମଧ୍ୟ ହାଣ୍ଡିଏ ପିଇବା ପାଣି ପାଇଁ ଲୋକଙ୍କୁ ହିନସ୍ତା ହେବାକୁ ପଡୁଛି । ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ସୀତାପୁର ଛକ ଅଞ୍ଚଳରେ । ଏଠାରେ ବସବାସ କରୁଥିବା ଲୋକେ ଦୀର୍ଘବର୍ଷ ଧରି ପିଇବା ପାଣି ସମସ୍ୟାରେ ଛଟପଟ ହେଉଛନ୍ତି । ଗ୍ରାମରେ ଦୁଇଟି ନଳକୂପ ରହିଥିବା ବେଳେ ସେଥିରୁ ପାଣି ବାହାରୁଛି । ହେଲେ ଏହି ପାଣି ପିଇବା ଯୋଗ୍ୟ ନୁହେଁ । ନଳକୂପରୁ ବାହାରୁଥିବା ପାଣିରେ ଅଧିକ ମାତ୍ରାରେ ଲୌହ ରହିଥିବାରୁ ପାଣି ହଳଦିଆ ଦେଖାଯିବା ସହ କଳଙ୍କି ଭଳି ଗନ୍ଧ ବାହାରୁଛି । ଫଳରେ ଦୈନନ୍ଦିନ ବ୍ୟବହାର ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁଥିରେ ଲୋକେ ସମସ୍ୟା ଭୋଗୁଛନ୍ତି । ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ଲୋକପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ । ହେଲେ ଦୀର୍ଘଦିନ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିଲା । ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ୪୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ କରିଥିଲେ । ଖବର ପାଇ ପୋଲିସ ଅଧିକାରୀ ଅଜିତ ପରିଡା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେବା ପରେ ରାସ୍ତା ଅବରୋଧ ହଟାଇଥିଲେ ଗ୍ରାମବାସୀ । ପରେ ବ୍ଲକରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଶୁଣାଣିରେ ଗ୍ରାମବାସୀ ଲିଖିତ ଭାବେ ନିଜର ଅଭିଯୋଗ ଜଣାଇଥିଲେ । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କ ନିକଟରେ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରିବା ସହ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.