ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବ ଘୋଷଣା ମୁତାବକ ଆଜି ବଲାଙ୍ଗିର ପ୍ରଶାସନ ଲୋୟର ସୁକତେଲ ବିସ୍ଥାପନ ଗ୍ରାମଗୁଡ଼ିକ ମଧ୍ୟରେ ସାମିଲ୍ ଥିବା କୁମିଆପାଲିରେ ପୋଲିସ ବଳ ସହ ପହଂଚିଥିବା ବେଳେ କୁମିଆପାଲି ଗ୍ରାମବାସୀ ଜବର୍ଦସ୍ତ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଜି ଗାଁ ଛାଡ଼ିବାକୁ ବଲାଙ୍ଗିର ପ୍ରଶାସନ ଗ୍ରାମବାସୀଙ୍କୁ ପୂର୍ବରୁ ନୋଟିସ୍ ଦେଇଥିଲା । କିନ୍ତୁ ବିସ୍ଥାପନ ଦେୟ ପାଇ ନଥିବାରୁ ଗ୍ରାମବାସୀ ଗାଁ ଛାଡ଼ିବାକୁ ନାରାଜ ଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ କୁମିଆପାଲି ଗାଁ ଲୋକେ ଧନୁତୀର ଧରି ପ୍ରଶାସନକୁ ରୋକିବା ପାଇଁ ପ୍ରସ୍ତୁତ ରହିଥିବା ବେଳେ ଅନ୍ୟପଟେ ବଲାଙ୍ଗିର ପ୍ରଶାସନ ଗାଁର ଘର ଭାଂଗିବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଗାଁ ଲୋକେ ନିଜ ଜିଦ୍ରେ ଅଡ଼ି ବସିଛନ୍ତି । ଆମର ଉଚିତ୍ ପ୍ରାପ୍ୟ ନ ପାଇବା ପର୍ଯ୍ୟନ୍ତ ଆମେ ଗାଁ ଛାଡ଼ିବୁ ନାହିଁ ବୋଲି ମତ ରଖୁଛନ୍ତି ଗାଁ ଲୋକେ । ଅନ୍ୟପକ୍ଷରେ ଲୋୟର୍ ସୁକ୍ତେଲ୍ ଡେମ୍ ପାଣି ଗାଁକୁ ମାଡ଼ି ଆସୁଥିବା କୁହାଯାଉଛି । ଏବେ ଧାରଣାରେ ବସିଛନ୍ତି କୁମିଆପାଲି ଗ୍ରାମବାସୀ ।
