
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଧାନକ୍ରୟ ଟାର୍ଗେଟରୁ ବଂଚିତ ପ୍ରତ୍ୟେକ ପେକ୍ସ ଗୁଡିକକୁ ତୁରନ୍ତ ଟାର୍ଗେଟ ପ୍ରଦାନ କରିବା ଦାବି ନେଇ ସିଏସ୍ଓ ଅଫିସଘେରାଉ କରିଛି ଆମ ଆଦମି ପାର୍ଟି । ତେବେ ନୂତନ ଟାର୍ଗେଟ ଆସିବା ନେଇ ବିଭାଗିୟ ଅଧିକାରୀ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପେକ୍ସ ଏ ପର୍ଯ୍ୟନ୍ତ ଧାନ କ୍ରୟ ଟାର୍ଗେଟ ମିଳୁନଥିବାରୁ ଚାଷୀମାନେ ଗଭୀର ଅସୁବିଧାରେ ପଡିଛନ୍ତି । ଫଳରେ ଚାଷୀମାନେ ଦଲାଲଙ୍କ ହାତରେ ଶୋଷିତ ହେବା ସହ ଆର୍ଥିକ କ୍ଷତି ସହୁଛନ୍ତି । ଧାନକ୍ରୟ ବ୍ୟବସ୍ଥାରେ କୌଣସି ପ୍ରକାର ପକ୍ଷପାତ ନକରି ନିରପେକ୍ଷ ଭାବରେ ସମସ୍ତ ଯୋଗ୍ୟ ପେକ୍ସକୁ ଆବଶ୍ୟକ ଟାର୍ଗେଟ ପ୍ରଦାନ କରାଯାଉ । ପେକ୍ସ ଭିତ୍ତିକ ଟାର୍ଗେଟ ବଣ୍ଟନ ତାଲିକା ସାର୍ବଜନୀନ କରାଯାଉ, ଚାଷୀମାନଙ୍କ ଧାନ ବିକ୍ରିରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ, ଧାନ କ୍ରୟରୁ ବଂଚିତ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ପାଇଁ ଆପ୍ ଦାବି କରିଛି । ନଚେତ ଚାଷୀମାନଙ୍କୁ ନେଇ ଆମ ଆଦମୀ ପାର୍ଟି ବଲାଙ୍ଗିର ତରଫରୁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆପ ନେତା ଆଶିଷ ପାଣ୍ଡେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ ବଲାଙ୍ଗିର ଯୁବ ନେତା ରମାକାନ୍ତ ବେହେରା, ବଲାଙ୍ଗିର ବିଧାନସଭା ସଭାପତି ସଦାଶିବ ମେହେର, ବାଳକୃଷ୍ଣ ନୈକ, ଚାଷୀ କୃଷ୍ଣ ଛତ୍ରିଆ, ଆକୁଳ ରାଇ, ସନ୍ତୋଷ ତାଣ୍ଡି, ଜୟଚନ୍ଦ୍ର ନାଗ, ପ୍ରଫୁଲ୍ଲ ବିଶ୍ୱାଳ, ଲକ୍ଷ୍ୟା ଦୀପ, ସୁଶିଲ ପଧାନ, କୁଳମଣି ପଧାନ ଏବଂ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ ।