
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ରାଜେନ୍ଦ୍ର ନଗର କ୍ଲବ୍, କଣ୍ଟାବାଞ୍ଜି ଏବଂ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅଜିତ ଯୋଶୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ କଣ୍ଟାବାଞ୍ଜି ଏନ୍ଏସି ଅଧୀନ ୱାର୍ଡ ନଂ–୧୪ରେ ନିର୍ମାଣାଧୀନ ଥିବା ମିନି ଷ୍ଟାଡିୟମ୍ର ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବହୁ ବର୍ଷ ପୂର୍ବରୁ ଏହି ମିନି ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଅଧା ନିର୍ମିତ ଅବସ୍ଥାରେ ପଡ଼ିରହିଛି । ଫଳରେ ସ୍ଥାନୀୟ ଯୁବକ ଓ ଖେଳାଳୀମାନେ ଖେଳକୁଦ ଏବଂ ଅଭ୍ୟାସ ପାଇଁ ଉପଯୁକ୍ତ ଭିତ୍ତିଭୂମିରୁ ବଞ୍ଚିତ ହେଉଛନ୍ତି । ଅଜିତ ଯୋଶୀ କହିଛନ୍ତି ଯେ, ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ ନେଉଥିବା ବେଳେ କଣ୍ଟାବାଞ୍ଜି ପରି ଏକ ଗୁରୁତ୍ୱପୂର୍ଣ୍ଣ ସହରରେ ମିନି ଷ୍ଟାଡିୟମ୍ର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ଦୁଃଖଦ ଘଟଣା । ଷ୍ଟାଡିୟମ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଖେଳାଳିମାନେ ବହୁ ଉପକୃତ ହେବା ସହ ଅଞ୍ଚଳରେ କ୍ରୀଡ଼ାର ବିକାଶ ଘଟିବ । ତେଣୁ ୱାର୍ଡ ନଂ–୧୪ରେ ଥିବା ମିନି ଷ୍ଟାଡିୟମ୍ର ଅବଶିଷ୍ଟ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ଅବସରରେ ରାଜେନ୍ଦ୍ର ନଗର କ୍ଲବ୍ର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉପସ୍ଥିତ ଥିଲେ ।