jayashree

ମୋବାଇଲ ନମ୍ବରକୁ କେନ୍ଦ୍ରକରି ନାବାଳକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ସାନଡକଲା ଗାଁରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ୧୭ ବର୍ଷୀୟ ନାବାଳକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତ ନାବାଳକ ହେଲେ ସାନଡକଲା ଗ୍ରାମର ରାଜେଶ ମାଝି । ସୂଚନା ଅନୁସାରେ, ରାଜେଶ ଗାଁ ନିକଟସ୍ଥ ଏକ ବନ୍ଧ ପାଖକୁ ଯାଇଥିବା ବେଳେ ସେହି ଗାଁର ଫାଳ ମାଝି ଜଣେ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ମାଗିଥିଲେ । ରାଜେଶ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଜାଣିନଥିବା କହିବା ପରେ ଫାଳ ମାଝି ନିଶାସକ୍ତ ଅବସ୍ଥାରେ ତାଙ୍କ ସହ ଯୁକ୍ତିତର୍କ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ରାଜେଶଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ରାଜେଶ ତୁରେକେଲା ଥାନାରେ ଫାଳ ମାଝିଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏପଟେ ରାଜେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ତୁରେକେଲା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.