jayashree

ପ୍ରବଳ ବର୍ଷା ନେଇ ଗଞ୍ଜାମ ଜିଲ୍ଲାରେ ୨୩ ଓ ୨୪ ତାରିଖରେ ସ୍କୁଲ୍ କଲେଜ ବନ୍ଦ ରହିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବର ୨୦୨୬ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି । ସବୋପରି ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ବର୍ଷା ଓ ବଜ୍ରପାତର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଆଜିଠାରୁ ସେପ୍ଟେମ୍ବର ୨୪ ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ଏନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ପରିଚାଳନା ବ୍ୟବସ୍ଥା ନିର୍ବିଶେଷରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସମସ୍ତ ବିଦ୍ୟାଳୟ ଏହି ନିର୍ଦ୍ଦେଶ ଅଧୀନରେ ରହିବ । ତେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପୂର୍ବପରି ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ । ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ସେମାନଙ୍କ ସେବା ନିୟୋଜିତ କରାଯାଇପାରିବ ବୋଲି କୁହାଯାଇଛି । ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ଆଦେଶ ଜାରି ହୋଇଛି । ସମ୍ପୃକ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଆଦେଶର ନିଷ୍ଠାପୂର୍ବକ ପାଳନ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆବଶ୍ୟକ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ । ଏହି ଆଦେଶ ତତ୍କାଳ କାର୍ଯ୍ୟକାରୀ ହୋଇଛି ।

Leave A Reply

Your email address will not be published.